ଭଦ୍ରକ: ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଆରସା ହାଇସ୍କୁଲରେ 18 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ମୁତାବକ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ତଦନ୍ତ ତଦନ୍ତ ସରିବା ପୂର୍ବରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପଦୋନ୍ୱତି ସହ ଅନ୍ୟତ୍ର ବଦଳି ହୋଇଛି । ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ରାତିଅଧିଆ ତାଙ୍କ ପଦୋନ୍ୱତିକୁ ପ୍ରଶାସନ କାର୍ଯ୍ୟକାରୀ କରିବା ଘଟଣାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ଫାଇଲ୍ ପତ୍ର ଓ ସ୍କୁଲର ସମସ୍ତ ପ୍ରକାରର ସରଞ୍ଜାମକୁ ଯାଞ୍ଚ ନକରି ତାଙ୍କର ଦାୟିତ୍ୱ ଗ୍ରହଣ କରିଥିବା ନୂତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞାପରମିତା ସାହୁ ସଂପ୍ରତି ବିବାଦ ଘେରକୁ ଟାଣି ହୋଇ ଯାଇଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ସ୍କୁଲ ମଧ୍ୟରେ ଥିବା ସରଞ୍ଜାମ ଏପରିକି ବିଲ୍, ଭାଉଚର, ରିଜୋଲ୍ୟୁସଲ, କ୍ୟାସ ବୁକ୍, ମଷ୍ଟରରୋଲ ଆଦିରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ସ୍କୁଲର ସମସ୍ତ ସରଞ୍ଜାମ ଠିକ୍ ଠାକ୍ ଅଛିକି ନାହିଁ ତାହା ସାନି ଯାଞ୍ଚ କରିବା ପରେ ଜଣା ପଡିବ ବୋଲି କହିଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞାପରମିତା ସାହୁ । ତେବେ ବର୍ତ୍ତମାନ ଯେଉଁ ଫରକ୍ ଦେଖାଯିବ ତାହାର ଭରଣା କରିବ କିଏ ବୋଲି ପ୍ରଶ୍ନ ଉଠୁଛି।
ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନାଙ୍କ ହନିଟ୍ରାପ ଲିଙ୍କରେ ହୋଟେଲ ମାଲିକ, EDରେ ହାଜର ହେଲେ ଶିବ ପ୍ରସାଦ ଦାସ
ସୂଚନା ଅନୁଯାଇ, ଏହି ବିଦ୍ୟାଳୟରେ 5 ବର୍ଷ ମଧ୍ୟରେ 2 ଶହରୁ ଉର୍ଦ୍ଧ ବିଲ ପ୍ରଦାନ କରାଯାଇଛି । ସାମଗ୍ରୀ କିଣା ଠାରୁ ଆରମ୍ଭ କରି ମାଟି କାମ, ସଫେଇ କାମ, ଚାରା ରୋପଣ, ମରାମତି କାମ, ନୂଆକାମ, ମଷ୍ଟରରୋଲ ଆଦିରେ ବ୍ୟାପକ ଅର୍ଥ ହଡ଼ପ ହୋଇଥିବା ଜଣାଯାଇଛି । ବିଭିନ୍ନ ଦୋକାନ ନାମରେ ମିଥ୍ୟା ବିଲ ଦାଖଲ କରି ଟଙ୍କା ଉଠାଣ ହୋଇଛି। ବିଭିନ୍ନ ବିଲକୁ ଜଣେ ବ୍ୟକ୍ତି ପୂରଣ କରିଥିବା ଏବଂ ଦସ୍ତଖତ ଜାଲିଆତି ହୋଇଥିବା ଜଣାପଡିଛି । ସେହିପରି ରିଜୋଲ୍ୟୁସନ ଓ କ୍ୟାସ ବୁକ୍ ମଧ୍ୟରେ ଅହେତୁକ ତାଳମେଳ ରହୁନଥିବା ଜଣାଯାଇଛି। ଯାହାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଇଟିଭି ଭାରତ, ଭଦ୍ରକ