ଭଦ୍ରକ: ସନ୍ଦେହଜନକ ଭାବେ ପୋଖରୀରୁ ଉଦ୍ଧାର ହେଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ । ମୃତ ଛାତ୍ରୀ ଜଣକ ହେଉଛନ୍ତି ଭଣ୍ଡାରିପୋଖରୀ ଥାନା ମଜୁରୀଗଡ଼ିଆ ଗ୍ରାମର ମାନସ ଜେନାଙ୍କ ଝିଅ ମଧୁସ୍ମିତା ଜେନା । ସେ ଆଜି(ଶୁକ୍ରବାର) ଭୋର ସମୟରେ ଉଠି ବାହାରକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରେ ତାଙ୍କ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ଯ ପାଇନଥିଲେ । ତେବେ ଘରଠାରୁ କିଛି ଦୂରରେ ଥିବା ଏକ ପୋଖରୀରେ ଛାତ୍ରୀଙ୍କ ଜୋତା ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ।
ପରେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ, ସେମାନେ ସେଠାରେ ପହଞ୍ଚି ପୋଖରୀ ଭିତରୁ ଛାତ୍ରୀଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ପଠାଇଥିଲେ । ମେଡିକାଲରେ ଡାକ୍ତର ଛାତ୍ରୀ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କର ପାଟି, ନାକ ଓ କାନ ମଧ୍ୟରୁ ରକ୍ତ ବାହାରୁଥିବାରୁ, ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫୋପାଡ଼ି ଦେଇଥିବା ସନ୍ଦେହ ପ୍ରକାଶ ପାଇଛି ।
ଅନ୍ୟ ପକ୍ଷରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରୁଥିବା ଜଣାପଡ଼ିଛି । ତେବେ ଏନେଇ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ