ଭଦ୍ରକ: ଧାମନଗର ଓ ଭଣ୍ଡାରିପୋଖରୀ ପରେ ଏବେ ତିହିଡି ବ୍ଲକରେ ବନ୍ୟା ସ୍ଥିତି ଗମ୍ଭୀର । ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ଯୋଗୁଁ ତିହିଡି ବ୍ଲକର 8 ଟି ପଞ୍ଚାୟତ ଏବେ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି ।
ଭଦ୍ରକ ଜିଲ୍ଲା ଇତି ମଧ୍ୟରେ ଶ୍ୟାମସୁନ୍ଦରପୁର ଓ ବୋଡକ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁର ତଳିଆ ଅଞ୍ଚଳରୁ 771 ଜଣଙ୍କୁ ତଳିଆ ସ୍ଥାନରୁ ଉଦ୍ଧାର କରାଯାଇଛି। ତିହିଡି ବ୍ଲକର ବୋଡକ, ଶ୍ୟାମସୁନ୍ଦପୁର ଓ ଗୋବିନ୍ଦପୁର ପଞ୍ଚାୟତରେ ଥିବା ଆଶ୍ରୟସ୍ଥଳ ଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କୁ ରଖାଯାଇଛି । ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟର ବନ୍ଦୋବସ୍ତ କରାଯାଇଛି । ତେବେ ତଳଗୋପବିନ୍ଧା, ବୋଡକ, ବାରୋ, ବିଲଣା, କାଁପଡା, ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦପୁର ଆଦି ପଞ୍ଚାୟତରେ ହାଇଆଲର୍ଟ ଜାରି ହୋଇଥିବାବେଳେ ବାହାବଳପୁର ପଞ୍ଚାୟତକୁ ତୀକ୍ଷ୍ଣ ଦୃଷ୍ଟି ରଖିଛି ପ୍ରଶାସନ । ଚାଷ ଜମିରେ 3ରୁ 4 ଫୁଟ ପାଣି ଲହଡି ମାରୁଥିବାବେଳେ, ବିଭିନ୍ନ ରାସ୍ତାରେ ଆଣ୍ଠୁଏ ପାଣି ରହିଛି ।
ପାଖାପାଖି 20 ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବାବେଳେ ଗାଁ ଦାଣ୍ଡରେ ଉଚ୍ଛୁଳା ବନ୍ୟାଜଳ ଜମାଟ ବାନ୍ଧିଛି । ବ୍ଲକ ଓ ତହସିଲ ପକ୍ଷରୁ 4 ଟି ଏବଂ ତିହିଡି ଓ ଗଦି ଦମକଳ କେନ୍ଦ୍ର ପକ୍ଷରୁ 2 ଟି ଯନ୍ତ୍ରଚାଳିତ ବୋଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ଶନିବାର ରାତିଠାରୁ ସମସ୍ତ ଅଞ୍ଚଳପାଇଁ ହାଇଆଲର୍ଟ ଜାରି କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ