ଭଦ୍ରକ: ଝିମଟି ଖେଳରୁ ମହାଭାରତ। ଭାଇ ନେଲା ଭାଇର ଜୀବନ। ଏକ ଛୋଟିଆ ଘଟଣାକୁ ନେଇ ତୁମୁଳ ହତ୍ୟାକାଣ୍ଡ। ଦୁର୍ଗାପୂଜା ଅବସରରେ ଏପରି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ପଞ୍ଚାୟତ ସଦେଇପଡା ଗ୍ରାମରେ।
ଖବର ଅନୁଯାୟୀ, ଗ୍ରାମର ଦୟାନିଧି ତ୍ରିପାଠୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇପୁଅ ସତ୍ୟବ୍ରତ ଓ ଅମରେନ୍ଦ୍ର ଏକତ୍ର ରହି ଆସୁଥିଲେ। ଦୁଇ ଭାଇଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହୁଥିଲା ।
ତେବେ ଏକ ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଦୁଇଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ଘରୁ ଦାଣ୍ଡକୁ ଚାଲି ଆସିଥିଲେ। ଏହା ଦେଖି ପାଖପୋଡଶୀ ମଧ୍ୟ ରୁଣ୍ଡ ହୋଇ ଯାଇଥିଲେ। ଶେଷରେ ଏହି ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ, ସମସ୍ତଙ୍କ ଆଗରେ ବଡଭାଇ ସତ୍ୟବ୍ରତ ସାନଭାଇ ଅମରେନ୍ଦ୍ରକୁ ଆକ୍ରମଣ କରିଥିଲେ।
ଏହାକୁ ଦେଖି ଗ୍ରାମବାସୀ ଓ ବଡଭାଇ ରକ୍ତାକ୍ତ ଅବସ୍ଥାରେ ସାନଭାଇ ଅମରେନ୍ଦ୍ରକୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ