ଭଦ୍ରକ: ଧାମନଗର ଉପନିର୍ବାଚନ (Dhamnagar By-Poll) ତାରିଖ ଯେତିକି ପାଖେଇ ଆସୁଛି, ଧାମନଗର ନିର୍ବାଚନ ମଣ୍ଡଳୀରେ ନୂଆ ନୂଆ ନେତାଙ୍କ ଭିଡ ସେତେ ଜମୁଛି। କିଏ ରୋଡ ସୋ କରି ପ୍ରଚାର ଅଭିଯାନକୁ ଜୋରଦାର କରୁଛି ତ କିଏ ପୁଣି ଘର ଘର ବୁଲି ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ଭୋଟ ମାଗୁଛି । ଏବେ ଉପ ନିର୍ବାଚନରେ ବିଜେଡି, ବିଜେପି ମଧ୍ୟରେ ତାରକା ଯୁଦ୍ଧ ଚାଲିବା ସହିତ, ରାଜନୈତିକ ପ୍ରତିଦ୍ବନ୍ଦିତା ମଧ୍ୟ ଜୋରଦାର ହେଉଛି ।
ତେବେ କଂଗ୍ରେସ ବିଜେପି, ବିଜେଡି ତୁଳନାରେ ପ୍ରଚାରରେ ବହୁ ପଛରେ ପଡି ଯାଇଛି । ଏପରିସ୍ଥଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଥିବା ରାଜେନ୍ଦ୍ର ଦାସଙ୍କୁ ଆଜି ବିଜେଡି ଦଳରୁ ବହିଷ୍କାର କରିଛି । ତେଣୁ, ଧାମନଗର ରାଜନୀତି ଏବେ ସରଗରମ ହୋଇପଡିଛି ।
ଧାମନଗର ଉପନିର୍ବାଚନରେ ଏଥର ଚର୍ତୁମୁଖୀ ଲଢେଇ ହେବାର ସମ୍ଭାବନା ଦେଖା ଦେଇଛି । ବିଜେଡି ପ୍ରାର୍ଥୀନି ଅବନ୍ତୀ ଦାସଙ୍କ ପାଇଁ ଆଜି ଅସୁରାଳି ଜୋନର 8 ଗୋଟି ପଞ୍ଚାୟତରେ ଷ୍ଟାର ପ୍ରଚାରକ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଜୋରଦାର ଭାବେ ମୋଟର ସାଇକେଲ ଶୋଭାଯାତ୍ରା କରି ପ୍ରଚାରକୁ ତ୍ଵରାନ୍ଵିତ୍ୱ କରିଛନ୍ତି। ଜନମତ କେବଳ ବିଜେଡି ସପକ୍ଷରେ ଅଛି, ତେଣୁ ଲୋକେ ଏଥର ବିପୁଳ ଭୋଟରେ ବିଜେଡି ପ୍ରାର୍ଥୀନୀଙ୍କୁ ଜିତାଇ ନୂଆ ରେକର୍ଡ କରିବେ ବୋଲି ବିଜେଡି ନେତା ମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ବିଜେପିର ହେଭିୱେଟ ନେତା ମନମୋହନ ସାମଲ, ବିଧାୟକ ସନାତନ ବିଜୁଳି, ଲେଖାଶ୍ରୀ ସାମନ୍ତ ସିଂହାର, ବିଧାୟକ ଭାସ୍କର ମଢାଇ ପ୍ରମୁଖଙ୍କ ସମେତ ଅନେକ ବରିଷ୍ଠ ନେତା ଗାଁ କୁ ଗାଁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଏପରିକି ସୂର୍ଯ୍ୟବଂଶୀ ସୂରଜ ଦିନ ରାତି ଏକ କରି ଘର କୁ ଘର ବୁଲି ପ୍ରଚାର କରୁଛନ୍ତି। ଆଜି ତମାମ ନିର୍ବାଚନ ମଣ୍ଡଳୀରେ ସମସ୍ତ ପଞ୍ଚାୟତରେ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତର ମାସପୂର୍ତ୍ତି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରୁଛି ଦଳ। ବିଜେଡିର ଗୋଷ୍ଠୀ କନ୍ଦଳ ଏବଂ ଦିବଂଗତ ନେତା ବିଷ୍ଣୁ ସେଠୀ ଙ୍କ ପ୍ରତି ଭୋଟରଙ୍କ ଭଲ ପାଇବା, ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜକୁ ବିଜୟୀ କରିବେ ବୋଲି କହିଛନ୍ତି ଷ୍ଟାର ପ୍ରଚାରକ ।
ସେହିପରି ଭାବେ କଂଗ୍ରେସ ଦଳ ଏହି ଉପ ନିର୍ବାଚନରେ ପ୍ରଚାର ଓ ପ୍ରସାର ରେ ଟିକିଏ ପଛରେ ପଡିଯାଇଛି। ଦଳ ଏପର୍ଯ୍ୟନ୍ତ କେବଳ ନିଜେ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ କେତେକ ସ୍ଥାନରେ କର୍ମୀ ସମ୍ମିଳନୀ କରିଛନ୍ତି। ଅନ୍ୟପକ୍ଷେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଗତକାଲି ଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବେଳେ ଆଜି ବିଜେଡି ଦଳରୁ ବହିଷ୍କାର କରିଛନ୍ତି ଦଳୀୟ ହାଇକମାଣ୍ଡ। ଏପରି କାର୍ଯ୍ୟାନୁଷ୍ଠାନ କୁ ସେ ମଥାପାତି ସହିଯିବା ସହିତ ତାଙ୍କ ପାଇଁ କିଛି ଫରକ ପଡିବ ନାହିଁ ବୋଲି କହିବା ସହିତ ସାଧାରଣ ଲୋକ ତାଙ୍କ ସହ ଅଛନ୍ତି ତେଣୁ ସେ ନିର୍ବାଚନ ଲଢିବା ସହ ବିଜୟ ହେବେ ବୋଲି କହିଛନ୍ତି ।
ଷ୍ଟାର ପ୍ରଚାରକଙ୍କୁ ନେଇ ସରଗରମ ଧାମନଗର ରାଜନୀତିରେ ନିର୍ବାଚନୀ ଉଷ୍ମତା ବଢୁଛି । ଏଥିସହ ସବୁ ଦଳ ବାଜିମାତ କରିବେ ବୋଲି କହୁଛନ୍ତି । ଏବେ ଅପେକ୍ଷା ମତଦାନକୁ । ଆଉ ନିର୍ବାଚନ ଫଳାଫଳକୁ ।
ଇଟିଭି ଭାରତ, ଭଦ୍ରକ