ଭଦ୍ରକ: କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଛନ୍ତି। ଏଆଇସିସି ନିର୍ଦ୍ଦେଶ କ୍ରମେ ଏହି ପ୍ରତିନିଧି ଦଳ ଆସିଥିବା ସୂଚନା ମିଳିଛି। ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିବା ପରେ ଭଦ୍ରକ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି। ତେବେ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସମୟରେ ପ୍ରଶାସନ ତଥା ସରକାରଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି ବୋଲି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଦଳର ବିଧାନସଭା ନେତା ତାରାପ୍ରସାଦ ବାହିନୀ ପତି ଓ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା।
ଏଥିସହ ବନ୍ୟା ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଭରଣା ସହ ବନ୍ୟା ବିପନ୍ନ ଓ ଚାଷୀମାନଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ପାଇଁ ବୈତରଣୀ ନଦୀ ଓ ଗେଙ୍ଗୁଟି ନଦୀରେ ଥିବା କଣ୍ଟିଘାଇ, ବାଲିପୋଖରୀ, କନକେଇ, କାଞ୍ଜିଆପାଳ, ମଲ୍ଲିମାହାରା, ଗୌରାଙ୍ଗପୁର ଓ କାଞ୍ଜିଆପାଳ ଆଦି ସାତଟି ଏସ୍କେପ ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛି ଦଳ।
ତେଣୁ ଏହି ଏସ୍କେପ ଗୁଡ଼ିକୁ କାପିଟାଲ ଏମବାକମେଣ୍ଟ କରିବା ପାଇଁ ଆଗାମୀ ବିଧାନସଭା ଅଧିବେଶନରେ ସ୍ଵର ଉତ୍ତୋଳନ କରିବେ ବୋଲି କହିଛନ୍ତି ତାରାପ୍ରସାଦ ବାହିନୀ। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତିନିଧି ଦଳଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ