ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଦିନ ପାଖେଇ ପାଖେଇ ଆସୁଛି । ଏହାରି ଭିତରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ବିଜେପି ପକ୍ଷରୁ ଧାମନଗର ଉପନିର୍ବାଚନରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ବିଜେପିର ଏକ ଟିମ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ପ୍ରଚାର କରିବେ । ଏହି ସମୟରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଶାସକ ବିଜେଡି ଦଳ ପକ୍ଷରୁ ଚାପ ପକା ଯାଉଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ବିଜେପି ନିକଟରେ ଥିବା ପ୍ରମାଣ ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦଳୀୟ କାର୍ଯ୍ୟରେ ସରକାରୀ କର୍ମଚାରୀ ସାମିଲ ହେଉଛନ୍ତି ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଭତ୍ତା ଦିଆଯାଉଛି । ତେଣୁ ଏନେଇ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି ।
ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ କରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ''ମଡେଲ କୋଡ ଅଫ କଣ୍ଟକ୍ଟର ଉଲ୍ଲଙ୍ଘନ ହେଉଛି । ତଳ ସ୍ତରୀୟ କର୍ମଚାରୀଙ୍କୁ ଧମକ ଦିଆଯାଉଛି । ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲିରେ ମିଶନ ଶକ୍ତିର କର୍ମକର୍ତ୍ତାଙ୍କୁ ଲୋକ ଧରି ସଭାକୁ ଆସିବାକୁ ବାଧ୍ୟ କରାଯାଉଛି । ଏନେଇ ଦଳ ପକ୍ଷରୁ ଆର୍ଥିକ ବନ୍ଦୋବସ୍ତ କରାଯାଇଛି । ଗତ ଦୁଇ ଦିନ ଧରି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଟଙ୍କା ବଣ୍ଟା ଯାଉଥିବା ଦେଖିବାକୁ ମିଳିଛି ।'' ଆଜି ଏନେଇ ଏକ ବୈଠକ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।
ଏହା ବି ପଢନ୍ତୁ...Dhamnagar Bypoll: ଆଜି VC ଜରିଆରେ ପ୍ରଚାର କରିବେ ନବୀନ, ଅବନ୍ତୀଙ୍କ ପାଇଁ ମାଗିବେ ଭୋଟ
ପ୍ରକାଶ ଥାଉ କି, ଧାମନଗର ଉପନିର୍ବାଚନକୁ ଆଉ 2ଦିନ ବାକି ଅଛି । ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗରରେ ଉପନିର୍ବାଚନ ହେବାକୁ ଯାଉଛି । ନଭେମ୍ବର 3ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି । ଉପନିର୍ବାଚନରେ ବିଜେଡି ବନାମ ଅସନ୍ତୁଷ୍ଟ ବିଜେଡି ମୁକାବିଲା ମଧ୍ୟ ଦେଖିବାକୁ ମିଳିବ । ଟିକେଟ୍ ନ ମିଳିବାରୁ ଦଳ ଉପରେ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ରାଜେନ୍ଦ୍ର ପ୍ରସାଦ । ନଭେମ୍ବର 6ରେ ଫଳ ପ୍ରକାଶ ପାଇବ ।
ଇଟିଭି ଭାରତ, ଭଦ୍ରକ