ଭଦ୍ରକ: ଜିଲ୍ଲାର ତିହିଡି ସଦର ବଜାରସ୍ଥିତ ଜବର ଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସକୁ ମାନି ଶେଷରେ ଦୋକାନ ଗୁଡିକୁ ମେସିନ ଲଗାଇ ଭାଙ୍ଗି ଦେଲା ପ୍ରଶାସନ । ମେଡିକାଲ ପ୍ରବେଶ ପଥର ବାମପଟେ ଥିବା ଉକ୍ତ ଉଠା ଦୋକାନ ଗୁଡିକୁ ଉଚ୍ଛେଦ କରାଯାଇଥିବା ଜଣାପଡିଛି । ଏହି ଜବରଦଖଲ ପାଇଁ ଟ୍ରାଫିକ ଜାମ ହେଉଥିଲା । ମୁଖ୍ଯ ରାସ୍ତାକୁ ମାଡିବସି ଏହି ଦୋକାନୀମାନେ ବେପାର କରୁଥିଲେ ।
ସେହିପରି ଆମ୍ବୁଲାନ୍ସ ଯାତାୟତରେ ବାଧା ଉପୁଜୁଥିଲା । ମେଡିକାଲ ପରିସରରେ ଏକ ଶୌଚାଳୟ ନିର୍ମାଣ ସହିତ ସ୍ବୟଂଚାଳିତ ଏକ ପାନୀୟ ଜଳ ଯୋଗାଣ ସ୍ଥାପନ ପାଇଁ ପ୍ରାୟ 15 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଚଳିତ ବର୍ଷ ଜାନୁଆରୀ ମାସରେ ଶିଳାନ୍ୟାସ କରାଯାଇଥିଲା। ଏହି ଦୋକାନୀମାନେ ଦୋକାନ ନ ଉଠାଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାତ୍ର ଏହା ଡିସପୋଜ ହୋଇଥିଲା ।
ପ୍ରଶାସନ ପକ୍ଷରୁ ସେମାନଙ୍କୁ ହଟିବା ଲାଗି ନୋଟିସ ଜାରି କରାଯାଇଥିଲେ ହେଁ ସେମାନେ ନହଟିବାରୁ ଏପରି ଉଚ୍ଛେଦ କରାଯାଇଛି । ପ୍ରଶାସନର ଏତାଦୃଶ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି। ତହସିଲଦାର ତଥା ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଆଇଆଇସି ତପନ କୁମାର ପ୍ରଧାନଙ୍କ ସମେତ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ