ବରଗଡ: ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକ ସାଧାରଣ ଲୋକ ତଥା ଏସଏସଜି ଗୋଷ୍ଠୀ ମହିଳାମାନଙ୍କୁ ଅର୍ଥ ଅସୁଲ ପାଇଁ ହଇରାଣ କରୁଥିବାରୁ ଆଜି ବରଗଡ଼ ଜିଲ୍ଲା ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୂର୍ଣ୍ଣ ଋଣଛାଡ ପାଇଁ ଏଥିରେ ଦାବି କରାଯାଇଛି । ବରଗଡ ଜିଲ୍ଲାର ବିଭିନ୍ନ ଏସଏସଜି ସଂଗଠନର ଶତାଧିକ ମହିଳା ଏଥିରେ ସାମିଲ ହୋଇଥିଲେ ।
ଲକଡାଉନ କାରଣରୁ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକ ଠାରୁ ଏସଏସଜି ଗୋଷ୍ଠୀର ଗରିବ ମହିଳାମାନେ ନେଇଥିବା ଋଣର କିସ୍ତି ପରିଶୋଧ କରିପାରୁନାହାନ୍ତି । ତିନିମାସ ଧରି ଘରେ ବସି ସଞ୍ଚିତ ଅର୍ଥ ସବୁ ଖର୍ଚ୍ଚ ହୋଇଯାଇଥିବା ବେଳେ ଫାଇନାନ୍ସ କମ୍ପାନୀଗୁଡିକ ଅର୍ଥ ଦେବାକୁ ବାଧ୍ୟ କରୁଛନ୍ତି । କିସ୍ତି ଟଙ୍କା ନଦେଲେ ଚାପ ପକାଉଥିବା ଅଭିଯୋଗ ହୋଇଛି ।
ଯାହାକୁ ନେଇ ବରଗଡ଼ ଜିଲ୍ଲା ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ କମିଟିର ସଭାପତି ଆଶିଷ ବେହେରାଙ୍କ ନେତୃତ୍ବରେ ଦିନ ମଜୁରିଆ, ଖଟିଖିଆ, ଶ୍ରମିକ ଓ ଖୁଚୁରା ବ୍ୟବସାୟୀମାନଙ୍କୁ ନେଇ ଏକ ବିରାଟ ରାଲି କରାଯାଇଥିଲା । ସମସ୍ତ ଋଣଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଗତ ୨୪ ମାର୍ଚ୍ଚ ୨୦୨୦ ଦିନରୁ ସରକାରଙ୍କ ଲକଡାଉନ ଘୋଷଣା ହେବାପରେ ବହୁ ଗରିବ ତାଙ୍କର ଜୀବନ ଜୀବିକା ହରାଇ ବସି ରହିଛନ୍ତି। ଫଳରେ ସେମାନେ ଚାପଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ