ବରଗଡ଼: କୋରୋନା ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି ରହିଥିବାବେଳେ ଘରୁ ନ ବାହାରିବାକୁ ସରକାର ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କୌଣସି ପ୍ରକାର ଭୋଜି ମହୋତ୍ସବ ଆୟୋଜନ ନକରିବା ପାଇଁ ସରକାରଙ୍କ କଟକଣା ଜାରି କରିଛନ୍ତି । ଏହି ନିୟମ ଉଲଂଘନ କଲେ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି । କିନ୍ତୁ ଏସବୁକୁ ଖାତିର ନକରି ଜଣେ ଶିକ୍ଷକ ବିବାହ ଭୋଜିର ଆୟୋଜନ କରି ଅଡୁଆରେ ପଡିଛନ୍ତି | ବାପ ଓ ପୁଅ ଉଭୟଙ୍କୁ ବିବାହ ଭୋଜିରୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଜଣେ ଶିକ୍ଷକଙ୍କ ବିବାହ ପରଦିନ ଭୋଜି ପାଇଁ ଜିଲ୍ଲା ପ୍ରଶାସନକୁ ଅନୁମତି ମଗାଯାଇଥିଲା । କିନ୍ତୁ ପୋଲିସ ପ୍ରଶାସନ ମନା କରିବା ସତ୍ତ୍ବେ ନିମନ୍ତ୍ରିତ ଅତିଥିମାନଙ୍କୁ ଗୋଟିଏ ସ୍ଥାନରେ ଠୁଳ କରି ଭୋଜିର ଆୟୋଜନ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରି ଉଭୟ ବାପ ଓ ପୁଅଙ୍କୁ ଗିରଫ କରିଥିଲା । ଏ ନେଇ ଭଟଲି ଥାନାରେ ଦଫା ୧୮୮, ୨୬୯, ୨୭୦ରେ ଏକ ମାମଲା(ନଂ. ୫୧/୧୯) ରୁଜୁ ହୋଇଛି । ଟ୍ରେନିଂ ଡିଏସ୍ପି ଦିନେଶ କୁମାର ନାୟକ, ସ୍ଥାନୀୟ ତହସିଲଦାର ପ୍ରଶାନ୍ତ କୁମାର ମହାପାତ୍ର, ଭଟଲି ଥାନାଧିକାରୀ ରଞ୍ଜିତ କୁମାର ନାୟକ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ