ବରଗଡ଼: ଯୁକ୍ତ ତିନି ଶେଷ ବର୍ଷର ୬ଷ୍ଠ ସେମିଷ୍ଠାର ପରୀକ୍ଷା ବାତିଲ କରିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି କଲା ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ । ବୁଧବାର ବରଗଡ ଜିଲ୍ଲାପାଳଙ୍କ ନିକଟରେ ବହୁ ସଂଖ୍ୟାରେ ଛାତ୍ରମାନେ ପହଞ୍ଚି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଥିଲେ । ରାଜ୍ୟରେ ବଢିଚାଲିଥିବା କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ପରୀକ୍ଷା ବାତିଲ କରାଯିବା ରହିଥିଲା ଛାତ୍ର କଂଗ୍ରେସର ମୁଖ୍ୟ ଦାବି ।
କୋରୋନା ମହାମାରୀ ଏବେ ରାଜ୍ୟରେ ହୁ ହୁ ହୋଇ ବଢୁଥିବା ବେଳେ ଗୋଟିଏ ସ୍ଥାନରେ ଛାତ୍ରମାନଙ୍କୁ ଭିଡ଼ କରି ପରୀକ୍ଷା କରାଇବା ଦ୍ଵାରା ଛାତ୍ରମାନଙ୍କ ମଧ୍ୟରେ ଏହି ରୋଗ ବ୍ୟାପିବାର ଆଶଙ୍କା ରହିଛି । ସେମାନେ ପରୀକ୍ଷା ଦେଇ ଡିଗ୍ରୀ ସାର୍ଟିଫିକେଟ ନେବା ପାଇଁ ପାଠ ପଢୁଥିଲେ ନା କି ମୃତ୍ୟୁ ସାର୍ଟିଫିକେଟ ନେବାପାଇଁ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରମାନେ । ଏବେ ସରକାର ପରୀକ୍ଷା କଥା ଘୋଷଣା କରିଛନ୍ତି, ହେଲେ ଲକ୍ ଡାଉନ୍ ଯୋଗୁଁ ପାଠ୍ୟ ଖସଡ଼ା ସମ୍ପୂର୍ଣ୍ଣ ହୋଇନଥିଲା । ଆମେ ଅସମ୍ପୂର୍ଣ୍ଣ ପାଠରେ କିଭଳି ପରୀକ୍ଷା ଦେବୁ ବୋଲି ସେମାନେ ଏହି ପତ୍ରରେ ଦର୍ଶାଇଛନ୍ତି ।
ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଗ୍ରାମାଞ୍ଚଳର ଛାତ୍ରଛତ୍ରୀମାନେ ସହରରେ ଭଡ଼ା ଘରେ ରହି ପାଠ ପଢୁଥିଲେ, ସେମାନଙ୍କୁ ଏବେ ଘର ମିଳୁନାହିଁ । ସେମାନେ କେମିତି ରହିବେ ଆଉ ପରୀକ୍ଷା ଦେବେ ବୋଲି ଛାତ୍ରମାନେ ପ୍ରଶ୍ନ କରିଛନ୍ତି । ଏହି କୋରୋନା ମହାମାରୀ ପୃଷ୍ଠଭୂମିରେ ଓଡ଼ିଶା ସରକାର ଯଦି ବାଧ୍ୟ କରି ପରୀକ୍ଷା କରାଇବେ ଏବଂ କିଛି ବି ଅଘଟଣ ଘଟେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।
କଂଗ୍ରେସ ଛାତ୍ରଙ୍କ ଦାବି ରହିଛି ଯେ ‘ଆମେ ଜାଣିଛୁ ଯେ ପରୀକ୍ଷା ଆମ ପାଇଁ ମୁଲ୍ୟବାନ୍ କିନ୍ତୁ ମୁଲ୍ୟବାନ୍ ଜୀବନ ବଦଳରେ ନୁହଁ । ଆଉ ଏହା ସତ୍ତ୍ବେ ବି ଯଦି ସରକାର ଯୁକ୍ତ ତିନି ଶେଷ ବର୍ଷର ଷଷ୍ଠ ସେମିଷ୍ଟାର ପରୀକ୍ଷାକୁ ବାତିଲ ନକରନ୍ତି ଛାତ୍ର କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ।’
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ