ବରଗଡ: ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ତଥା ବିଜେଡି ଦଳର ସମସ୍ତ ନେତା ବ୍ୟସ୍ତ ରହିଥିବା ବେଳେ ଜିଲ୍ଲାର ଚିନି କାରଖାନାର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀ ନିଜର ପୂର୍ବ ଘୋଷଣା କାର୍ଯ୍ୟକାରୀ କରି ନାହାନ୍ତି । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଚିନି କାରଖାନାର କର୍ମଚାରୀ ।
ସୂଚନା ଅନୁଯାୟୀ 28 ମାସର ଦରମା ନ ପାଇ ଦୁର୍ଦ୍ଦିନରେ ଦିନ କାଟୁଥିବା ବରଗଡର ଚିନି କାରଖାନା କର୍ମଚାରୀମାନେ ପୁଣି ଚାତକ ପକ୍ଷୀ ପରି ଆଶା ବାନ୍ଧି ବସିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ କିଛି ଘୋଷଣା କରିବେ । କାରଖାନା ଗତ ତିନି ବର୍ଷ ହେଲା ବନ୍ଦ ପଡିଥିବା ବେଳେ ଏଠାକାର 148 ଜଣ କର୍ମଚାରୀମାନଙ୍କୁ ଦୀର୍ଘ 28 ମାସର ଦରମା ସରକାର ଦେଇନଥିବା ଜଣା ପଡିଛି । ସେପଟେ ଗତବର୍ଷ ଜାନୁୟାରୀ 21 ତାରିଖରେ ସୋହେଲା ଇଚ୍ଛାପୁରଠାରେ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 11 କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ।
ଏଥିସହ ଚିନି କାରଖାନାର ପୁନରୁଉଦ୍ଧାର ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ ଫମ୍ପା ପାଲଟିଛି ସମସ୍ତ ପ୍ରତିଶୃତି । ଯାହା ଫଳରେ ଆଜି ପର୍ଯ୍ୟନ୍ତ କୌଣସି କର୍ମଚାରୀ ଦରମା ନପାଇ ଭାରି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ଏବଂ ମଙ୍ଗଳବାର ପୁଣି ମୁଖ୍ୟମନ୍ତ୍ରୀ ବରଗଡ ଆସୁଥିବା ବେଳେ କର୍ମଚାରୀମାନେ ନୂଆ ଘୋଷଣା ନେଇ ଆଶା ବାନ୍ଧି ବସିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ