ବରଗଡ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ସେପ୍ଟେମ୍ବର 24 ତାରିଖରୁ ଅକ୍ଟୋବର ୧୪ ତାରିଖ ଯାଏଁ ଆନ୍ଦୋଳନ ଜାରି ରହିବ | କେବଳ ବ୍ୟାଙ୍କ ଗୁଡିକ ଖୋଲା ରହିଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ସମ୍ପୂର୍ଣ୍ଣ ଅଚଳ କରିଦେଇଛି ବରଗଡ ଓକିଲ ସଂଘ |
ଜିଲ୍ଲା ଓକିଲ ସଂଘ ପକ୍ଷରୁ ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କୋର୍ଟ କଚେରୀ ବନ୍ଦ କରାଯାଇ ଆନ୍ଦୋଳନ କରାଯାଇଥିଲା । କିନ୍ତୁ ୩୦ ତାରିଖ ପରେ ଆନ୍ଦୋଳନକୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଜାରି ରଖାଯିବା ନେଇ ଅର୍ଥନୈତିକ ଅବରୋଧ କରାଯାଇଛି ।
ଓକିଲ ସଂଘ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ (ଆର୍ଟିଓ) କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରି ଦେଇଛନ୍ତି । ବର୍ତ୍ତମାନ ଯାନବାହାନ ଓ ପରିବହନକୁ ନେଇ ଲାଗୁ କରାଯାଇଥିବା ନୂତନ ନିୟମ ଯୋଗୁଁ ବରଗଡ RTO ଅଫିସରେ ଡ୍ରାଇଭିଂ ଲାଇସେନ୍ସ ଓ ବିଭିନ୍ନ କାଗଜ ପତ୍ର ପାଇଁ ଲୋକଙ୍କ ଭିଡ ଜମୁଥିବା ବେଳେ ଏପରି ପରିସ୍ଥିତିରେ ଓକିଲମାନେ ସ୍ଥାନୀୟ RTO ଅଫିସକୁ ମଧ୍ୟ ଅଚଳ କରି ଅର୍ଥନୈତିକ ଅବରୋଧ କରିଛନ୍ତି ।
କେବଳ ସେତିକି ନୁହେଁ କୋର୍ଟକୁ ମଧ୍ୟ ଅଚଳ କରିଦେଇଥିବାରୁ ବିଚାରପତି ମାନେ କୋର୍ଟକୁ ଆସି ଫେରି ଯାଉଛନ୍ତି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବାକୁ ଜିଲ୍ଲା ଓକିଲ ସଂଘ ନିଷ୍ପତ୍ତି ନେଇଥିବା ବେଳେ ସ୍ଥାନୀୟ ସମସ୍ତ ରାଜସ୍ବ କାର୍ଯ୍ୟାଳୟ ବନ୍ଦ ରହିଥିବା ଯୋଗୁଁ ସରକାରୀ କାର୍ଯ୍ୟ ଠପ୍ ହୋଇପଡିଛି ।
ସଂଘର ସଭାପତି ବେଲାଲସେନ ସରାଫ, ଉପସଭାପତି ସରୋଜ କୁମାର ତ୍ରିପାଠୀ, ସମ୍ପାଦକ ହେମନ୍ତ କୁମାର ପୁରୋହିତ, ଯୁଗ୍ମ ସମ୍ପାଦକ ଲଲାଟେନ୍ଦୁ ବେହେରା ପ୍ରମୁଖ ଓକିଲଙ୍କ ଏହି ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ