ବରଗଡ: ପଞ୍ଚାୟତ ନିର୍ବାଚନ ପାଇଁ ବରଗଡ ଜିଲ୍ଲାରେ ଦେଖିବାକୁ ମିଳୁଛି ରାଜନୈତିକ ତାତି। ସବୁ ଦଳର ନେତା ଓ ପ୍ରାର୍ଥୀ କରୁଛନ୍ତି ସ୍ବତନ୍ତ୍ର ରଣନୀତି । ସେହିପରି ଗାଁ ମୁହାଁ ହେଉଛନ୍ତି ନେତା ଓ ମନ୍ତ୍ରୀ ।
ଅନ୍ୟପଟେ ଶାସକ ବିଜେଡି ସହିତ ବିରୋଧୀ ଜିତିବା ଲାଗି କରୁଛନ୍ତି ନିର୍ବାଚନୀ ରଣନୀତି । ଏପଟେ ଜିଲ୍ଲାରେ ଆମ ଆଦମୀ ଦଳ ମଧ୍ୟ ଅଳ୍ପ ସଂଖ୍ୟକ ପ୍ରାର୍ଥୀ ଦେଇ ନିଜର ସ୍ଥିତି ଜାହିର କରିଛି । ମାତ୍ର କୋଭିଡ଼ କଟକଣା ପାଇଁ ଚଳିତ ପଞ୍ଚାୟତ ନିର୍ବାଚନରେ ସଭା ସମିତି ହେଉନାହିଁ ।
କେବଳ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଅପରପକ୍ଷେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବହୁ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ଅନେକ ସ୍ଥାନରେ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚନରେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ଅପରପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପି ଦଳ ସରକାରୀ ଦଳର ବିଫଳତାକୁ ମୁଦ୍ଦା କରି ଏଥର ଲୋକଙ୍କ ନିକଟକୁ ଯିବାକୁ ଅଣ୍ଟା ଭିଡିଛନ୍ତି । ବରଗଡ ଜିଲ୍ଲାରେ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିବା ସମସ୍ତ ପ୍ରାର୍ଥୀ ବିଜେଡି ଦଳର ସମର୍ଥିତ ପ୍ରାର୍ଥୀ । ସେହିପରି ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଏକତରଫା ନିର୍ବାଚନୀ ହାୱା ଭୋଟରଙ୍କୁ କେତେ ପ୍ରଭାବିତ କରୁଛି ତାହା ଭୋଟ ଗଣତି ପରେ ଜଣାପଡିବ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ