ବରଗଡ: ଅତ୍ୟାଧୁନିକ ସମାଜର ଆଧୁନିକତା ଭିତରେ ହଜିବାକୁ ବସିଛି ପ୍ରକୃତିର ପ୍ରକୃତ ରୂପ । ମଣିଷ ନିଜର ପ୍ରତିଟି ଆବଶ୍ୟକତା ପୂରଣ କରିବା ପାଇଁ ଗଢି ଚାଲିଛି ଲକ୍ଷ ଲକ୍ଷ କଳକାରଖାନା, ପ୍ଲାଣ୍ଟ ଓ ଫ୍ୟାକ୍ଟ୍ରି । ଏହା ମଣିଷର ଆବଶ୍ୟକତା ପୂରଣ କରୁଛି ସତ, ହେଲେ ଏଥିପାଇଁ ପ୍ରକୃତିକୁ ଦେବାକୁ ପଡୁଛି ବଳିଦାନ । ଏହି କଳକାରଖାନା, ପ୍ଲାଣ୍ଟ ଓ ଫ୍ୟାକ୍ଟ୍ରିର ଦୂଷିତ ଜଳ ଓ ବିଷାକ୍ତ ଅବଶିଷ୍ଟାଂସ ନାଳ ନର୍ଦ୍ଦମା, ନଦୀ ଓ ପୋଖରୀରେ ମିଶି ନିର୍ମଳ ପାଣିକୁ ବିଷାକ୍ତ କରେ । ଯାହାକୁ ପିଇ ମଣିଷ ବିଭିନ୍ନ ରୋଗରେ ପଡିବା ସହ କ୍ଷେତରେ ମରିଯାଏ ସୁନାର ଫସଲ ଓ ପଶୁପକ୍ଷୀ ବି ମୃତ୍ୟୁ ମୁଖରେ ପଡନ୍ତି ।
ରାଜ୍ୟର ଭାତହାଣ୍ଡି ବୋଲାଉଥିବା ବରଗଡ ଜିଲ୍ଲାରେ ବିଭିନ୍ନ ଆବଶ୍ୟକତାକୁ ନଜରରେ ରଖି ଗଢି ଉଠିଛି 130ରୁ ଅଧିକ ରାଇସ ମିଲ ଓ ରହିଛି ଗୋଟିଏ ଏସିସି ସିମେଣ୍ଟ ଫ୍ୟାକ୍ଟ୍ରି । ପ୍ରତିଦିନ ଏହି ରାଇସ ମିଲ ଓ ଫ୍ୟାକ୍ଟ୍ରିର ବିଷାକ୍ତ ଓ ରସାୟନିକ ପଦାର୍ଥଯୁକ୍ତ ପାଣି ବିଭିନ୍ନ ନଳା ଦେଇ ଆସି ନିକଟସ୍ଥ ପୋଖରୀ ଓ ଜଳାଶୟରେ ମିଶେ । ଯାହା ପାଣି ବ୍ୟବହାର ଅନୁପଯୋଗୀ କରିଦିଏ । ସେପଟେ ଜିଲ୍ଲା ଦେଇ ଯାଇଥିବା ଜିରା ନଦୀର ମଧ୍ୟ ସମାନ ଅବସ୍ଥା। ହେଲେ ଏବେ କୋରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଲକଡାଉନ ଦେଖିବାକୁ ମିଳିଛି କିଛି ସକାରାତ୍ମକ ପ୍ରଭାବ ।
ଲକଡାଉନ ପାଇଁ ପ୍ରାୟ 2 ମାସ ହେବ ସମସ୍ତ କଳକାରଖାନା, ପ୍ଲାଣ୍ଟ ଓ ଫ୍ୟାକ୍ଟ୍ରି ବନ୍ଦ ଥିବାରୁ ନିର୍ମଳ ହେବାରେ ଲାଗିଛି ଜିଲ୍ଲାର ଜଳରାଶି । ଲୋକେ କ୍ଷେତରେ ମଡାଇବା ପାଇଁ ବିଶୁଦ୍ଧ ଜଳ ପାଇବା ସହ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ମଧ୍ୟ ପାଇପାରୁଛନ୍ତି ନିର୍ମଳ ପାଣି । ଯାହା ଏବେ ଲୋକଙ୍କୁ କଳକାରଖାନା ଦ୍ବାରା ହେଉଥିବା ପ୍ରଦୂଷଣ ବୁଝିବାକୁ ବାଧ୍ୟ କରିଛି । ସେପଟେ ଅତାବିରା ବ୍ଲକ ଅନ୍ତର୍ଗତ ଗୁର୍ଖାପାଳି ଗ୍ରାମରେ ବିଷାକ୍ତ ପାଣି ଯୋଗୁଁ ପୋଖରୀରେ ରହିଥିବା ମାଛଗୁଡିକ ମରି ଭାଷୁଥିବା ଦେଖିବାକୁ ମିଳିଛି । ଲକଡାଉନ ସମୟରେ ଚାଲିଥିବା ଅଳ୍ପ କିଛି ରାଇସମିଲରୁ ନିର୍ଗତ ବିଷାକ୍ତ ପାଣି ପିଇ ବହୁ ଗାଈ ଗୋରୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ସାମନାକୁ ଆସିଛି ।
ଲକଡାଉନ ସମୟରେ ଗୋଟିଏ ପଟେ ଲୋକେ ନିଜ ନିଜ ଘରେ ରହୁଥିବା ବେଳେ ସହରରୁ ଏହି ନାଳ ଦେଇ ପୂର୍ବ ଅପେକ୍ଷା ଅଧିକ ପାଣି ଆସିବା କଥା ମାତ୍ର ଆଗ ପରି ଆଉ ଏଥିରେ ଦୂଷିତ ପାଣି ସେତେ ମାତ୍ରାରେ ଆସୁନାହିଁ । ଯାହା ପ୍ରମାଣିତ କରିଦେଇଛି ଯେ ଏହି ନାଳ ଦେଇ ସହର ଭିତରେ ରହିଥିବା ବହୁ ଶିଳ୍ପ ପ୍ରତିଷ୍ଠାନ ଗୁଡିକର ଦୂଷିତ ପାଣି ବହିଯାଇ ନଦୀ ଭିତରେ ପ୍ରବେଶ କରୁଥିଲା । ତେବେ ଦୀର୍ଘ ଦିନର ଲକଡାଉନ କାରଣରୁ ପରିବେଶ ପ୍ରଦୂଷଣରେ ପରିବର୍ତ୍ତନ ଘଟିଥିବା ବେଳେ ପ୍ରଦୂଷଣ କରୁଥିବା ଶିଳ୍ପ ଅନୁଷ୍ଠାନ ଗୁଡିକର ମୁଖା ଖୋଲି ଦେଇଛି ଏହି ଲକଡାଉନ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ