ବରଗଡ: ଲକଡାଉନ ଯୋଗୁଁ ଜୀବିକା ହରାଇ ବସିଛନ୍ତି ଅନେକ ଲୋକ । ଘର ଚଳାଇବା ଅନେକଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ସରକାରଙ୍କ ସହାୟତା ଅନେକଙ୍କୁ ମିଳିଥିବା ବେଳେ ଅନେକ ଯୋଜନାଠୁ ବହୁ ଦୂରରେ । ଏଥିରୁ ବାଦ ପଡିନାହାନ୍ତି ବୁଣାକାର । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଳପାଳି ପଞ୍ଚାୟତ ଅଇଁଲାଭଟା ଗ୍ରାମର ବୁଣାକାର ପୁରୁଷୋତ୍ତମ ମେହେର । ଲକଡାଉନ ଯୋଗୁଁ ସବୁକିଛି ଠପ ହୋଇଯାଇଥିବା ଫଳରେ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ଏତିକିବେଳେ ଘରର ବୋଝ ଉଠାଉଛି କୁନି ପୁଅ ।
ପୁଅ ପ୍ରକାଶ ମେହେର ନବମ ଶ୍ରେଣୀର ଛାତ୍ର । ଦିନରେ ପାଠ ପଢୁଥିବା ବେଳେ ଖର ଖର୍ଚ୍ଚ ଉଠାଇବା ପାଇଁ ସନ୍ଧ୍ୟା ବେଳେ ଗାଁ ଦାଣ୍ଡରେ ବସି ମୁଢି, ଚଣା ଆଦି ବିକ୍ରି କରୁଛନ୍ତି । ସେଥିରୁ ଯେତିକି ମିଳୁଛି ସେତିକିରେ ଘର ଚଳୁଛି । ସେପଟେ ଏଯାଏଁ ସରକାରଙ୍କ ତରଫରୁ କୌଣସି ସହାୟତା ମିଳିପାରିନାହିଁ । ସରକାର ଗରିବଙ୍କ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି ସତ ହେଲେ ଯୋଜନାରୁ ବହୁ ଦୂରରେ ଏହି ଗରିବ ପରିବାର ।
ଖାଲି ଏବେ ନୁହେଁ ପୁରୁଷୋତ୍ତମଙ୍କ ପରିବାର ପୂର୍ବରୁ ମଧ୍ୟ ଅନେକ ଯୋଜନାରୁ ସେ ବଞ୍ଚିତ । ଘର ଖଣ୍ଡିଏ ପାଇଁ ସରପଞ୍ଚଠୁ ବିଡିଓ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଗଲେଣି ହେଲେ ଏଯାଏଁ ଘର ଖଣ୍ଡିଏ ମିଳି ପାରି ନାହିଁ । ସେପଟେ ସରକାରଙ୍କ ସହାୟତା ଲୋଡିଛନ୍ତି ପରିବାର ।
ବରଗଡରେ ରାଜେଶ ସରାପ, ଇଟିଭି ଭାରତ