ବରଗଡ଼: ବିଷାକ୍ତ ସାପ କାମୁଡ଼ିବା ଯୋଗୁଁ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଝିଟିକି ଗ୍ରାମରେ । ହେଲେ ଅଳ୍ପକେ ବର୍ତ୍ତିଯାଇଛି ଦେଢ଼ ବର୍ଷର ଶିଶୁ । ସ୍ବାମୀ, ସ୍ତ୍ରୀ ଓ ତାଙ୍କ ଦେଢ଼ ବର୍ଷର ଶିଶୁ ରାତିରେ ଘରେ ଶୋଇଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗତ ୩ ବର୍ଷ ତଳେ ବିବାହ କରିଥିବା ଝିଟିକି ଗ୍ରାମର ଶଙ୍କର ପ୍ରଧାନ(26 ବର୍ଷ) ଓ ତାଙ୍କ ସ୍ତ୍ରୀ ଶାନ୍ତି ପ୍ରଧାନ(22 ବର୍ଷ) ଦେଢ ବର୍ଷର ଶିଶୁ ସହିତ ରାତିରେ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ପ୍ରଥମେ ଶାନ୍ତିଙ୍କ ଗୋଡକୁ କାମୁଡି ଦେଇଥିଲା । ସେ ପିମ୍ପୁଡ଼ି କାମୁଡିଥିବା ଭାବି ନିଜ ଛୁଆଙ୍କୁ ସ୍ତନ୍ୟପାନ କରାଇ ଶୋଇ ପଡିଥିଲେ । ହେଲେ ସାପଟି ଶଙ୍କରଙ୍କ ପିଠିକୁ କାମୁଡିବାରୁ ସେ ଏହା ଦେଖି ଘର ଲୋକଙ୍କୁ ଜଣାଇଥିଲେ । ଘରଲୋକେ ଉଭୟଙ୍କୁ ପାଇକମାଲ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଶାନ୍ତିଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲେ । ପରେ ଦମ୍ପତିଙ୍କୁ ନୂଆପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ସାପ କାମୁଡାରୁ ବର୍ତ୍ତିଯାଇଛି ଦେଢ଼ ବର୍ଷର ଶିଶୁ । ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଗ୍ରାମକୁ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା ।
ଇଟିଭି ଭାରତ, ବରଗଡ