ବରଗଡ: ଜିଲ୍ଲାର ପଦ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା । ବ୍ୟାପକ ମାତ୍ରାରେ ନିଶା କାରବାର ଚଲାଉଥିବା ରାକେଟକୁ ଗିରଫ କରିବାରେ ସଫଳ ହୋଇଛି ପଦ୍ମପୁର ପୋଲିସ । ନିଶା କାରବାରରେ ସମ୍ପୃକ୍ତ 8 ଜଣଙ୍କୁ ଗିରଫ କରିବା ସହିତ ଗୋଟେ ବୋଲେରୋ ଗାଡି, ଗୋଟେ ଟାଟା ଇଣ୍ଡିକା କାର ଏବଂ ବ୍ୟାପକ ମାତ୍ରାରେ ନିଶା ସାମଗ୍ରୀ ଜବତ କରିଛି ପୋଲିସ ।
ସୂଚନା ଅନୁଯାୟୀ ଭୁବନେଶ୍ବରରୁ ପଦ୍ମପୁର ଅଞ୍ଚଳକୁ ବ୍ୟାପକ ମାତ୍ରାରେ ନିଶା ସାମଗ୍ରୀ ଆସୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ମହୁଲପାଳି ବ୍ରିଜ ଉପରେ ନାକାବନ୍ଦି କରି ଚେକିଂ ଚଳାଇଥିଲା । ତେବେ ବିଳମ୍ବିତ ରାତିରେ ଭୁବନେଶ୍ବର ପଟରୁ ପଦ୍ମପୁରକୁ ଆସୁଥିବା ଏକ ଟାଟା ଇଣ୍ଡିକା କାର ଏବଂ ଏକ ବୋଲେରୋ ଗାଡିକୁ ପୋଲିସ ଅଟକାଇ ତଲାସି ଜାରି ରଖିଥିଲା ।
ତେବେ ପୋଲିସକୁ ଉଭୟ ଯାକ ଗାଡିରୁ ବହୁ ପ୍ରକାରର ନିଶା ବଟିକା ସହିତ କଫ ସିରପ ଆଦି ମିଳିଥିଲା । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା ଏବଂ ଏହି ନିଶା କାରବାରରେ ସମ୍ପୃକ୍ତ 8 ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସ 2ଟି ଚାରିଚକିଆ ଗାଡି , 2000 ଗୋଟି ନିଶା ଇଞ୍ଜେକ୍ସନ , 4000 ଗୋଟି ନିଶା ଟାବଲେଟ , 550 କଫ ସିରପ , 100 ଲିଟର ଖୋଲା କଫ ସିରପ ଏବଂ 6 ଟି ମୋବାଇଲ ଫୋନ ଆଦି ପୋଲିସ ଜବତ କରିଛି ।
ସମସ୍ତ ଅଭିଯୁକ୍ତ ପଦ୍ମପୁର ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନରୁ ଏହି ନିଶା କାରବାର ଚଳାଇ ଆସୁଥିଲେ ମାତ୍ର ସ୍ଥାନୀୟ ପୋଲିସ ଏହାର ଟେର ମଧ୍ୟ ପାଇ ପାରିନଥିଲା । ଅଭିଯୋଗ ହେବା ପରେ ଯାଇ ପୋଲିସ ତତ୍ପର ହୋଇ ଧରପଗଡ କରିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ