ବରଗଡ଼: ଗାଧୋଇବାକୁ ଯାଇ ଭାସିଗଲେ ମହିଳା । ବରଗଡ଼ ନିକଟସ୍ଥ ଜଡ଼ା ଗ୍ରାମର ଜଣେ ମହିଳା ଗୁରୁବାର କେନାଲରେ ଗାଧୋଇବାକୁ ଯାଇ ଭାସିଯାଇଛନ୍ତି । ବହୁ ଖୋଜାଖୋଜି ପରେ ଶୁକ୍ରବାର ତାଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଛି ।
ସୂଚନା ମୂତାବକ, ଗୁରୁବାର ସନ୍ଧ୍ୟାରେ ଭଟଲି ଥାନା ଅନ୍ତର୍ଗତ ଜଡ଼ା ଗ୍ରାମର ବାଳକୃଷ୍ଣ ଭୁଏଙ୍କ ସ୍ତ୍ରୀ ଅରୁନ୍ଧତୀ ଭୁଏ (40) ଗାଁର କିଛି ମହିଳାଙ୍କ ସହିତ ଗାଧୋଇବା ପାଇଁ କେନାଲକୁ ଯାଇଥିଲେ । ସେ ଗାଧୋଇବା ସମୟରେ ପାଣିର ସ୍ରୋତରେ ଭାସିଯାଇଥିଲେ ।
ଏହାପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । କିନ୍ତୁ ଅରୁନ୍ଧତିଙ୍କ କୌଣସି ସନ୍ଧାନ ମିଳିପାରିନଥିଲା ।
ଶୁକ୍ରବାର ବରଗଡ଼ ମୁଖ୍ୟ କେନାଲରେ କିଛି ଯୁବକ ମହିଳାଙ୍କ ମୃତଦେହ ଦେଖି ତାଙ୍କ ପରିବାର ସହ ଭଟଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ଅରୁନ୍ଧତିଙ୍କ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଜାରି ରଖିଛି ।
ସେହିପରି ଗୁରୁବାର ବରଗଡ଼ ଜୀରାନଦୀରୁ ଜଣେ ରିକ୍ସା ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ବରଗଡ ଏକ ନମ୍ବର ୱାର୍ଡ଼ ନଦୀପଡ଼ାର ଗଣେଶ ସାହୁ ବୋଲି ଜଣାପଡ଼ିଛି । ତେବେ ମୃତ ଗଣେଶ ମଦ ପିଇ ପାଣିରେ ପଡ଼ି ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ