ETV Bharat / state

କ୍ୟାନସର କଷଣ, ରାଜନୈତିକ ପଶାପାଲିରେ ମୋହରା ପାଲଟୁଛି କି ପଶ୍ଚିମ ଓଡିଶା ? - ପଶ୍ଚିମ ଓଡିଶା ବିକାଶ

ସ୍ମାର୍ଟସିଟିର ସ୍ମାର୍ଟ ସହରର 20 ଏକର ଜମିରେ ଛିଡା ହେବାକୁ ଯାଉଛି 500 ଶଯ୍ୟା ବିଶିଷ୍ଟ କ୍ୟାନସର କେୟାର ହସ୍ପିଟାଲ । ବରଗଡକୁ କେବେ ? ଏଯାଏଁ ପଶ୍ଚିମ ଓଡିଶାରେ କ’ଣ ପାଇଁ ପହଞ୍ଚି ପାରୁନି ସରକାରଙ୍କ ପ୍ରତିଶୃତି ? କିଏ ଅଟକାଉଛି ବିକାଶର ଗାଡି ? ଅଧିକ ପଢନ୍ତୁ...

କ୍ୟାନସର କଷଣ, ରାଜନୈତିକ ପଶାପାଲିରେ ମୋହରା ପାଲଟୁଛି କି ପଶ୍ଚିମ ଓଡିଶା ?

author img

By

Published : Apr 12, 2021, 10:47 PM IST

Updated : Apr 12, 2021, 11:03 PM IST

ଭୁବନେଶ୍ବର: ନିର୍ବାଚନ ଆସିଲେ ମନେପଡେ ପଶ୍ଚିମ ଓଡିଶାର କଥା । ଅଣଦେଖା ଆଉ ଅବହେଳାକୁ ନେଇ ବିରୋଧୀ ଉଠାନ୍ତି ତୀବ୍ର ସ୍ବର । ବିକାଶର ଦ୍ବାହି ଦେଇ ସରକାର କାନ୍ଦନ୍ତି କୁମ୍ଭୀର କାନ୍ଦଣା । ରାଜନୈତିକ ଗୋଟି ଚାଳନା କରି ଘୋଷଣା କରନ୍ତି ମାଳମାଳ ଯୋଜନା । ଠିଆ ହୁଏ ପ୍ରତିଶୃତିର ବଡ ବଡ ପାହାଡ । ଏହାରି ମଧ୍ୟରେ ପ୍ରଶ୍ନ ଉଠେ ରାଜନୈତିକ ପଶାପାଲିରେ ମୋହରା ସାଜୁଛି କି ପଶ୍ଚିମ ଓଡିଶା ?

ସେ ଭାଷାକୁ ସ୍ବତନ୍ତ୍ର ମାନ୍ୟତା ଦାବି ହେଉ କି କୋର୍ଟ, କଚେରୀ, ହସ୍ପିଟାଲ ନିର୍ମାଣର କଥା । ପ୍ରତିଶୃତି ନାଁରେ ପରିଲକ୍ଷିତ ହୁଏ ଅନେକ ଅସମାନତା । ବାଟବଣା ହୋଇଯାଏ ବିକାଶ । ଖାତାକୁ ଭୋଟ ଆସିବା ପରେ ବେସାହାରା ପାଲଟିଯାଏ ପଶ୍ଚିମ ଓଡିଶା । ଫାଇଲ ତଳେ ଚାପି ହୋଇଯାଏ ପ୍ରତିଶୃତି । ଏବେ ବି ଦେଖିବାକୁ ମିଳିଛି ସମାନ କଥା । ଉପକୂଳ ଓଡିଶା ଦେଇ ରାଜଧାନୀର ରାଜରାସ୍ତାରେ ଅଟକିଯାଇଛି ସରକାରଙ୍କ ବିକାଶ ଗାଡି ।

ସ୍ମାର୍ଟସିଟିର ସ୍ମାର୍ଟ ସହରର 20 ଏକର ଜମିରେ ଛିଡା ହେବାକୁ ଯାଉଛି 500 ଶଯ୍ୟା ବିଶିଷ୍ଟ କ୍ୟାନସର କେୟାର ହସ୍ପିଟାଲ । ବାଗ୍‌ଚୀ-ଶ୍ରୀଶଙ୍କର କ୍ୟାନସର କେୟାର ସେଣ୍ଟରରେ ବାଜିଛି କ୍ୟାବିନେଟ ମୋହର । ଭୁବନେଶ୍ବରରୁ ମାତ୍ର 30 କିଲୋମିଟର ଦୂର କଟକ ସହରରେ ରହିଛି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର । ତେବେ ଯଦି 30 କିଲୋମିଟର ବ୍ୟବଧାନରେ ଦୁଇ ଦୁଇଟି କ୍ଯାନସର ହସ୍ପିଟାଲ ସମ୍ଭବ, ତେହେଲେ ଏଯାଏଁ ପଶ୍ଚିମ ଓଡିଶାରେ କଣ ପାଇଁ ପହଞ୍ଚି ପାରୁନି ସରକାରଙ୍କ ପ୍ରତିଶୃତି ? କିଏ ଅଟକାଉଛି ବିକାଶ ଗାଡି ?

କ୍ୟାନସରର କଷ୍ଟରେ କଲବଲ ବରଗଡ । ଓଡିଶାର ଭାତ ହାଣ୍ଡି ରୂପେ ଦିନେ ସୁନାମ ଅର୍ଜନ କରିଥିଲା ବରଗଡ ଜିଲ୍ଲା । ହେଲେ ଏବେ ବିଷମୟ ଏହି ଭାତହାଣ୍ଡି । ବରଗଡର ଭୂଇଁରେ ଚରୁଛି କର୍କଟ ।

ରାଜ୍ୟର ବରଗଡ ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ସର୍ବାଧିକ । ବରଗଡ ଜିଲ୍ଲାରେ କେଉଁ କାରଣରୁ ଏତେ ସଂଖ୍ୟାରେ କ୍ୟାନସର ରୋଗ ବଢି ଚାଲିଛି ତାହାର ମୂଳ କାରଣ ମଧ୍ୟ ଖୋଜି ପାଉନାହାନ୍ତି ସରକାର । ଏଠାରେ ଚାଷ କାମରେ ବ୍ୟବହୃତ ହେଉଥିବା ପ୍ରଚୁର ପରିମାଣରେ ରାସାୟନିକ ସାର ଓ କୀଟନାଶକ ବୋଲି ସନ୍ଦେହ କରାଯାଉଛି । ଅପରପକ୍ଷେ ବିଶେଷଜ୍ଞଙ୍କ ତଥ୍ଯ ଅନୁଯାୟୀ ଦୂଷିତ ପରିବେଶ, ପ୍ରଦୂଷିତ ଜଳ ଓ ରାସାୟନିକ ଯୁକ୍ତ ଖାଦ୍ୟ ପଦାର୍ଥର ବ୍ୟବହାର ଯୋଗୁଁ କ୍ୟାନ୍ସର ପରି ମାରାତ୍ମକ ରୋଗ ବଢି ଚାଲିଥିବାବେଳେ ସଠିକ ଚିକିତ୍ସା ନପାଇ ବହୁ ଲୋକେ ନିଜ ଜୀବନ ହାରୁଛନ୍ତି ।

ବରଗଡରେ ବିଗତ କିଛି ବର୍ଷରେ କ୍ୟାନସର ରୋଗୀଙ୍କ ତଥ୍ୟ ଉପରେ ନଜର ପକାନ୍ତୁ... ଗତ ୨୦୧୪-୧୫ରେ ଜିଲ୍ଲାରେ ୧୦୧୭ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ , ୨୦୧୫-୧୬ରେ ୧୦୬୫ ଜଣ, ୨୦୧୬-୧୭ରେ ୧୦୯୮ ଜଣ ଏହି ମାରାତ୍ମକ ରୋଗରେ ହୋଇଥିଲେ ପିଡୀତ । ୨୦୧୭-୧୮ରେ ଏହି ସଂଖ୍ୟା ୧୧୦୦ ଟପିଯାଇଥିବା ଜଣାପଡିଛି । ସାଧାରଣତଃ ବରଗଡରେ ପେପଟିକ କ୍ୟାନସର ଓ ସ୍ଥନ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳେ । ଗତ ୨୦୧୭ ମସିହାରେ ତତ୍କାଳୀନ ବିଜେପୁର ବିଧାୟକ ସୁବଳ ସାହୁ ମଧ୍ୟ କ୍ୟାନସର ରୋଗରେ ପୀଡିତ ଥିଲେ । ପ୍ରଚୁର ଅର୍ଥ ଖର୍ଚ୍ଚ କରି ଦୀର୍ଘ ଦିନ ଧରି ଚିକିତ୍ସିତ ହେଲା ପରେ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇଥିଲେ ସୁବଳ । ୨୨ ଅଗଷ୍ଟ ୨୦୧୭ରେ ଆରପାରିକୁ ଚାଲିଯାଇଥିଲେ ସେ ।

2020 ଜାନୁଆରୀ 21, ପଶ୍ଚିମ ଓଡିଶାର ବରଗଡରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କର୍କଟର ଭୟକୁ ଛାତିରେ ଚାପି ଧରି ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ରୋଗୀଙ୍କ ପରିବାର ପାଇଁ ଆଶାର କିରଣ ପାଲଟିଥିଲା ସରକାରଙ୍କ ପ୍ରତିଶତ୍ରୃତି । ଭୁବନେଶ୍ବର ଫେରି ଆସିଲେ ମୁଖ୍ୟମନ୍ତ୍ରୀ । ଗଡିଚାଲିଲା ଦିନ ପରେ ଦିନ । ଘୋଷଣାକୁ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବରଗଡବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଖାଇଥିବା କ୍ୟାନସର ହସ୍ପିଟାଲର ସ୍ବପ୍ନ ଆଜିବି ବାସ୍ତବତାରେ ରୂପାନ୍ତରିତ ହୋଇପାରିନାହିଁ । ଅନେକ ଦାବି ହୋଇଛି । ପ୍ରତିବାଦରେ ମଧ୍ୟ ବନ୍ଦ ହୋଇଛି ରାଜରାସ୍ତା । ହେଲେ ଭାଙ୍ଗିନି ନିଦ କି ଖୋଲୁନି ଆଖି । ଆଉ ନଜରରେ ପଡୁନାହିଁ ବରଗଡବାସୀଙ୍କ ଦୁଃଖ ।

ନିକଟରେ ହୋଲି ପର୍ବରେ ରାଜ୍ୟ ବିଭିନ୍ନ ରଙ୍ଗରେ ହୋଇଥିଲା ରଙ୍ଗୀନ । ସମସ୍ତ ଖୁସିର ରଙ୍ଗ ବୋଳି ଫଟୋ ଉଠାଇବାରେ ମସଗୁଲ ଥିଲେ । ଏହି ହୋଲି ପର୍ବ ପାଳନ ମଧ୍ୟରେ ସୋସିଆଲ ମିଡିଆରେ ଏପରି ଫଟୋ ସାମ୍ନାକୁ ଆସିଥିଲା, ଯାହା ବିକାଶର ରଙ୍ଗୀନ ଚିତ୍ରର ସ୍ବପ୍ନ ଦେଖାଉଥିବା ସରକରାଙ୍କୁ ପ୍ରଶ୍ନ ପଚାରିବାକୁ କରିଥିଲା ବାଧ୍ୟ । ନିଜ ଶରୀରରେ ହୋଲିର ରଙ୍ଗରେ ବରଗଡ ପାଇଁ କ୍ୟାନସର ହସ୍ପିଟାଲର ଦାବି କରିଥିଲେ କର୍କଟ ରୋଗୀ ତଥା ସାମାଜିକ କର୍ମୀ ଅଶ୍ବିନୀ ଦର୍ଜୀ ।

କର୍କଟ ରୋଗ ସର୍ବସ୍ଵାନ୍ତ ପୀଡିତ ପରିବାରର ଦୁଃଖ କେବଳ କର୍କଟକୁ ସାମ୍ନା କରିଥିବା ଲୋକ ହିଁ ବୁଝିପାରେ । ବରଗଡରେ କ୍ୟାନସର ସହ ସଂଗ୍ରାମ କରି ବର୍ତ୍ତିଯାଇଥିବା ରୋଗୀମାନେ ନିଜ ଉଦ୍ୟମରେ ଫାଇଟର୍ସ ଗ୍ରୁପ ନାଁରେ ଏକ ସଙ୍ଗଠନ କରି କ୍ୟାନସର ରୋଗୀଙ୍କ କ୍ୟାନସର ରୋଗୀଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଦେଖାଉଛନ୍ତି ବଞ୍ଚିବାର ରାହା । ବରଗଡରେ କ୍ୟାନ୍ସର ରୋଗର କାୟା ବିସ୍ତାର ହେଉଥିବା ଦେଖି ଏହି ସଙ୍ଗଠନ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ୨୦୧୭ ମସିହାରୁ ଦାବି କରିଆସୁଛି ।

ଏପେଟେ ଭୁବନେଶ୍ବରରେ ହେବାକୁ ଥିବା କ୍ୟାନସର ହସ୍ପିଟାଲର ନିର୍ମାଣ ପାଇଁ ୨୧୦ କୋଟି ଟଙ୍କା ଦେବେ ଓଡ଼ିଶା ଦକ୍ଷତା ବିକାଶ ପ୍ରଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ । ଦିନେ ମହାମାରୀ କୋରୋନା କାଳରେ ସରକାରଙ୍କ ବାର୍ତ୍ତାବହକ ସାଜି ରାଜ୍ୟବାସୀଙ୍କ ମନ ଜିତିଥିବା ସୁବ୍ରତ ବାଗଚୀଙ୍କ ନାଁରେ ନାମିତ ହେବ ଏହି ହସ୍ପିଟାଲ । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ସୁବ୍ରତଙ୍କ ଜନ୍ମ । ଓଡ଼ିଶାର ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ବିତିଥିଲା ବାଗଚୀଙ୍କ ବାଲ୍ୟକାଳ । ଯେଉଁ ପଶ୍ଚିମ ଓଡିଶାର ମାଟିରେ ଜନ୍ମ ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି, ସେହି ମାଟିର ଦୁଃଖ ଓ ବିକାଶକୁ ବାଗଚୀ କେମିତି ଭୁଲିଗଲେ ବୋଲି ଏବେ ଚାରିଆଡେ ଚର୍ଚ୍ଚା । ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ପାଇଁ ନିଜ ପକେଟରୁ ଏତେ ଅର୍ଥ ବାହାର କରିବାକୁ ସକ୍ଷମ ଥିବା ବାଗଚୀଙ୍କୁ କିପରି ନଜ ଜନ୍ମ ମାଟିର ଯନ୍ତ୍ରଣା ଅନୁଭୂତ ହେଲାନାହିଁ ବୋଲି ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ।

ବୁର୍ଲା ଭିମସାରରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ସୀମିତ ସୁବିଧା ରହିଛି । ଏହି ରୋଗରେ ପୀଡିତ ସାଧାରଣତଃ ଚିକିତ୍ସା ପାଇଁ କଟକର ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ କିମ୍ବା ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ଯାଇଥାନ୍ତି । ବରଗଡ ଜିଲ୍ଲାରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବହୁ ମାତ୍ରାରେ ବଢି ବଢି ଯାଉଥିବା ବେଳେ ଅଞ୍ଚଳବାସୀ ଏକ ସ୍ବତନ୍ତ୍ର ହସ୍ପିଟାଲ ଦାବିରେ ବହୁ ବାର ଆନ୍ଦୋଳନ କରିଆସୁଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନିଜେ ଦୁଇ ଦୁଇ ଥର ବରଗଡବାସୀଙ୍କୁ ପ୍ରତିଶ୍ରୃତି ଦେଇ ଭୋଟ ହାତେଇ ନେଇଗଲେ ପଛେ ହେଲେ ନିର୍ମାଣ କାମ ଆରମ୍ଭ ହେଲା ନାହିଁ । ଫଳରେ ବହୁ କ୍ୟାନସର ରୋଗୀ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି । ତେବେ ଏଭଳିସ୍ଥିତିରେ ବରଗଡରେ କ୍ୟାନସର ହସ୍ପିଟାଲ ପ୍ରତିଶ୍ରୃତିର ବଡ ପ୍ରହେଳିକା କହିଲେ ଅତ୍ୟୁକ୍ତି ହେବନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2021, 11:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.