ବରଗଡ: ଥାନା ବାବୁଙ୍କ ଦବଙ୍ଗଗିରି । ବିନା କାରଣରେ ଯୁବକଙ୍କ ମାଡ ମାରିଲେ ପୋଲିସ ବାବୁ । ଏଭଳି ଅଭିଯୋଗ ଆସିଛି ବରଗଡ ସଦର ପୋଲିସ ଥାନାବାବୁଙ୍କ ନାଁରେ । ଏନେଇ ମାଡ ଖାଇଥିବା ଯୁବକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ପ୍ରଧାନପାଲି ଗାଁର ପ୍ରଶାନ୍ତ ନାୟକ ଓ ତାଙ୍କ ଦୁଇ ଭାଇ ମାଛ ଚାଷ କରୁଥିବା ପୋଖରୀକୁ ରାତିରେ ଜଗିଥିଲେ । ଏହି ସମୟରେ ହଠାତ ସଦର ଥାନା ବାବୁ ଦିଲୀପ କୁମାର ବେହେରା ସଦଳବଳ ସେଠାରେ ପହଞ୍ଚି ଥିଲେ । ପୋଖରୀ ଜଗି ଥିବା ତିନି ଯୁବକଙ୍କୁ ପ୍ରବଳ ମାଡ଼ ମାରିଥିବା ଟାଉନ ଥାନାରେ ହୋଇଛି ଅଭିଯୋଗ । ଏନେଇ ମାଡ ଖାଇଥିବା ଯୁବକଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି । କୌଣସି ଥାନା ଅଞ୍ଚଳକୁ ଅନ୍ୟ ଥାନା ଅଧିକାରୀମାନେ ଆସିବାକୁ ହେଲେ ଅନୁମତି ନେବାକୁ ପଡିଥାଏ । ହେଲେ ଏହି ଘଟଣାରେ ସଦର ଥାନାବାବୁ କାହିଁକି ଟାଉନଥାନା ବାବୁଙ୍କ ଅନୁମତି ମାଗିଲେ ନାହିଁ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଖୋଦ ପୋଲିସ ତିନି ଯୁବକଙ୍କୁ ବିନା କାରଣରେ ଏଭଳି ଭାବେ ମାଡ଼ ମାରିବାକୁ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନିନ୍ଦା କରାଯାଇଛି । ସଦର ଥାନାବାବୁଙ୍କୁ ନିଲମ୍ବିତ କରିବା ପାଇଁ ଦାବି ହୋଇଛି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ