ଆମ ରାଜ୍ୟ ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ସାଙ୍ଗକୁ ପ୍ରକୃତିର ଗନ୍ତାଘର । ଆଉ ସେଇ ପ୍ରକୃତି ଭିତରେ ଲୁଚି ରହିଛି ଅନେକ ରହସ୍ୟ । କେଉଁଠି ଘଞ୍ଚ ଅରଣ୍ୟର ସବୁଜିମା ଭିତରେ, କେଉଁଠି ଝରଣାର କୁଳୁକୁଳୁ ଭିତରେ ତ କେଉଁଠି ପୁଣି ବିଶାଳ ସମୁଦ୍ରର ଗର୍ଭରେ ଲୁଚି ରହିଥାଏ ଅନେକ ଅଜଣା କଥା ଆଉ ରହସ୍ୟ । ସେମିତି ଏକ ରହସ୍ୟମୟ ପ୍ରାକୃତିକ ସ୍ଥାନ ହେଉଛି ବାଲେଶ୍ବରର ଚାନ୍ଦିପୁର ବେଳାଭୂମି ।
ବାଲେଶ୍ବରଠାରୁ ଏହି ସମୁଦ୍ରକୂଳ ପ୍ରାୟ 16 କିମି ଦୂରରେ ଅବସ୍ଥିତ । ଆଉ ଏହାର ବେଳାଭୂମିକୁ ବିଶ୍ବର ସବୁଠାରୁ ବିସ୍ମୟକର ବେଳାଭୂମି ଭାବେ ତାଲିକାଭୁକ୍ତ କରିଛି ‘ଲୋନଲି ପ୍ଲାନେଟ (ବିଶ୍ବ ପ୍ରସିଦ୍ଧ ଭ୍ରମଣ ବିଶେଷଜ୍ଞ) ।
କଣ ରହିଛି ଚାନ୍ଦିପୁର ବେଳାଭୂମିର ରହସ୍ୟ
‘ଭାନିସିଙ୍ଗ ସି’ ବା ‘ଅଦୃଶ୍ୟ ସାଗର’ ଭାବେ ଏହା ସାରା ବିଶ୍ବରେ ବେଶ୍ ଲୋକପ୍ରିୟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରତିଦିନ ସମୁଦ୍ର ନିମ୍ନ ଜୁଆର ସମୟରେ 4ରୁ 5 କିଲୋମିଟର ପର୍ଯ୍ୟନ୍ତ ଘୁଞ୍ଚିଯାଏ । ପରେ ଯେତେବେଳେ ଉଚ୍ଚ ଜୁଆର ଉଠେ ସେତେବେଳେ ପୁଣିଥରେ ଏହା ପୁର୍ବାବସ୍ଥାକୁ ଫେରିଆସେ । ଆଉ ଏହି ଘଟଣା କେବେ କେବେ ନୁହେଁ ପ୍ରତିଦିନ ଘଟେ । ଆଖିରେ ନଦେଖିଲେ ବେଳାଭୂମି ଓ ସମୁଦ୍ରର ଏହି ଲୁଚକାଳି ଉପରେ ବିଶ୍ବାସ କରି ହେବନାହିଁ ।

ଥରେ ସେ ବେଳାଭୂମିରେ ଚାଲିଲେ ସାରା ଜୀବନ ରହିବ ମନେ
ନିମ୍ନ ଜୁଆର ସମୟରେ ଯେତେବେଳେ ସମୁଦ୍ର ଘୁଞ୍ଚିଯାଏ ପ୍ରାୟ 4 କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଚାଲି ଚାଲି ଯାଇହୁଏ । ଶୁଣିବାକୁ ଏହା ଯେତିକି କୌତୁହଳପୂର୍ଣ୍ଣ ଏହାର ଅନୁଭୂତି ତାଠାରୁ ଅଧିକ ବିସ୍ମୟକର । ସାରା ବିଶ୍ବରେ ଅନ୍ୟ କୌଣସି ସମୁଦ୍ର କୂଳରେ ଆପଣ ଏହା ଅନୁଭବ କରିପାରିବେ ନାହିଁ ।

ଜୁଆର ଉଠିଲେ ଫେରେ ସାଗର
ଆଖି ଆଗରେ 4-5 କିମି ଘୁଞ୍ଚିଯାଇଥିବା ସମୁଦ୍ରଟା ଯେତେବେଳେ ଉଚ୍ଚ ଜୁଆର ଉଠେ ପୁଣି ସେ ଫେରିଆସେ ପୂର୍ବାବସ୍ଥାକୁ । ତେଣୁ ନିମ୍ନ ଜୁଆର ବେଳେ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲେ ଶୀଘ୍ର ଫେରିଆସିବାକୁ ହୁଏ । କାରଣ ଉଚ୍ଚ ଜୁଆର ଉଠିଲେ ସମୁଦ୍ର ପୁଣି ଥରେ ଧାରଣ କରେ ତାର ଉଗ୍ର ରୂପ । ବେଳେ ବେଳେ ସମୁଦ୍ର ଭିତରକୁ ପ୍ରବେଶ କରିବା ପରେ ଜୁଆର ଉଠିବାକୁ ଲାଗେ ତାକୁ ଦେଖି ଡର ବି ଲାଗେ କିନ୍ତୁ ପାଣି ଏତେ ଶୀଘ୍ର ବଢ଼େ ନାହିଁ ଧୀରେ ଧୀରେ ବଢ଼ିବା ଭିତରେ ଆପଣ ପୁଣି ଥରେ କୂଳକୁ ଫେରି ଆସି ପାରିବେ ।

ଏହାର ବୈଜ୍ଞାନିକ କାରଣ କଣ ହୋଇପାରେ
ଏହାର କୌଣସି ବୈଜ୍ଞାନିକ କାରଣ ଜଣା ପଡ଼ିନାହିଁ । ତେବେ କେବଳ ଜୁଆର ଯୋଗୁଁ ହିଁ ଏପରି ହୋଇଥାଏ ବୋଲି ବିଶ୍ବାସ କରାଯାଏ ।
ଚାନ୍ଦିପୁରର ଏହି ସୁନ୍ଦର ବେଳାଭୁମିରେ ଆହୁରି ଅନେକ ସୁନ୍ଦର ଦୃଶ୍ୟ ରହିଛି ଯାହାକୁ ଆପଣ ଉପଭୋଗ କରି ପାରିବେ । ବାଲିମୟ ବେଳାଭୂମିରେ ପଥୁରିଆ କୂଳ ତା ସାଙ୍ଗକୁ ଝାଉଁବଣ ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ । ସନ୍ଧ୍ୟାବେଳରେ ଅନ୍ତର୍ଧ୍ୟାନ ହେଉଥିବା ସାଗର ଆଉ ଅସ୍ତଗାମୀ ସୂର୍ଯ୍ୟର ରଙ୍ଗରେ ଆହୁରି ସୁଶୋଭିତ ହୁଏ ଚାନ୍ଦିପୁର ବେଳାଭୂମି ।
ଜୈବ ବିବିଧତାକୁ ମଧ୍ୟ ନିଜ ଭିତରେ ସ୍ଥାନ ଦେଇଛି ଚାନ୍ଦିପୁର
ବିଭିନ୍ନ ପ୍ରଜାତିର ମାଛ ସହ ଏଠାରେ ଶାଙ୍କୁଚ ଏବଂ କୁନି କୁନି ନାଲି କଙ୍କଡା ମଧ୍ୟ ଦେଖିବାକୁ ମିଳନ୍ତି ।
ନିଜ ସୌନ୍ଦର୍ଯ୍ୟ ସହ ବିସ୍ମୟକର ବେଳାଭୂମି ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରେ ଚାନ୍ଦିପୁର ।
