ବାଲେଶ୍ଵର: ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ମୁହାଁମୁହିଁ ଘଟଣାରେ ବିଧାୟକ ଧାରଣାରେ ବସିଥିଲେ । 15 ଘଣ୍ଟା ଧାରଣାରେ ବସିବା ପରେ ବିଧାୟକ ପ୍ରତିଶ୍ରୁତି ପାଇ ଧାରଣାରୁ ଓହରିଥିବା ଜଣାପଡିଛି ।
ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଶୁକ୍ରବାର ରାତି ପ୍ରାୟ ୧୧.୩୦ ସମୟରେ ଅନଶନ ସ୍ଥଳରେ ପହଞ୍ଚି ଆଲୋଚନା କରି ଫଳରସ ପିଆଇ ଅନଶନ ଭାଙ୍ଗି ଥିଲେ । ତାସହ ଭଙ୍ଗା ଯାଇଥିବା ମହରିର ଚାଳିକୁ ବୁଲି ଦେଖିଥିଲେ । ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶ ଥାଉକି, ନୀଳଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ମହରିର ଚାଳି ତହସିଲଦାର ସୁଶ୍ରୀତା ଟୁଡୁ ଉଚ୍ଛେଦ କରୁଥିବା ବେଳେ ନୀଳଗିରି ବିଧାୟକ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ସରକାରୀ କର୍ମଚାରୀ ଦୁର୍ବ୍ୟବହାର କରିବା ଅଭିଯୋଗରେ ବିଧାୟକ ଧାରଣା ଦେଇଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ