ବାଲେଶ୍ୱର: ଜିଲ୍ଲା ଖଇରା ଥାନା ଅଧୀନ କୁପାରି ଅଞ୍ଚଳରେ ଆତଙ୍କ। ଜଣେ ଲୋକଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତ କଦଳିଗଡ଼ିଆ ଗ୍ରାମର ମୁକ୍ତିକାନ୍ତ ରାତି 10ଟାରେ କୁପାରିରୁ ନିଜ ଘରକୁ ଫେରୁଥିଲେ। ଗୁଆମାଳ ଛକ ନିକଟରେ କିଛି ଭାବିବା ଆଗରୁ ହଠାତ କିଛି ଯୁବକ ମୁକ୍ତିକାନ୍ତଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଘେରି ଯାଇଥିଲେ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ୱର
ମୁକ୍ତିକାନ୍ତ ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ଚୋଟ ପରେ ଚୋଟ ମାରିଥିଲେ। ମୁକ୍ତିକାନ୍ତଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରିଛନ୍ତି।
ମୁକ୍ତିକାନ୍ତଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ଚାଲି ଆସିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛାଡି ଚାଲିଯାଇଥିଲେ। ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁକ୍ତିକାନ୍ତଙ୍କୁ ଖଇରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୁକ୍ତିକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲରେ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ ଏହି ଆକ୍ରମଣର ପ୍ରକୃତ କାରଣ ଜଣାପଡିନଥିବାବେଳେ ଘଟଣାସ୍ଥଳରେ ଖଇରା ଥାନା ଅଧିକାରୀ ଲୋପାମୁଦ୍ରା ନାୟକ ପହଞ୍ଚି ତଦନ୍ତ କରିଛନ୍ତି। ଏଯାଏଁ ଥାନାରେ ଏହି ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।
ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ