ବାଲେଶ୍ବର: ଦିନରେ ରଙ୍ଗମିସ୍ତ୍ରୀ ରାତିରେ ହାଇୱେ ଲୁଟେରା । ରାଜରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ମୋବାଇଲ, ବାଇକ କିମ୍ବା କୌଣସି ଅନ୍ୟାନ୍ୟ ଜିନିଷକୁ ଲୁଟ କରୁଥିଲେ ଲୁଟେରା । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଏନେଇ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅପରାଧୀମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏଥିସହ ବାଇକ ଓ ଅନ୍ୟ ଲୁଟ ସାମଗ୍ରୀର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କ ସାମଗ୍ରୀ ଫେରାଇଛନ୍ତି ବାଲେଶ୍ଵର ଏସପି ସାଗରିକା ନାଥ । ସେହିପରି ଏହି ଲୁଟେରା ଗ୍ୟାଙ୍ଗ୍କୁ କାବୁ କରିବାର ସବିଶେଷ ତଥ୍ୟ ବାଲେଶ୍ଵର ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଗତ ଅପ୍ରେଲ ମାସ 28 ଓ 29 ତାରିଖରେ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଓ ସଦର ଥାନାରେ ଲୁଟ ଅଭିଯୋଗ ହୋଇଥିଲା। ଲୋକଙ୍କୁ ଛୁରୀ, ଭୁଜାଲି ଦେଖାଇ ଅଭିଯୁକ୍ତମାନେ ମୋବାଇଲ, ଲାପଟପ ଆଦି ଲୁଟି ନେଇଥିଲେ । ସମାନ ଅଭିଯୋଗ ଦୁଇଟି ଥାନାରେ ହୋଇଥିବାରୁ ଏହାକୁ ପୋଲିସ ଗୁରୁତ୍ୱର ସହ ନେଇଥିଲା । ଏହାପରେ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଖନ୍ତାପଡ଼ା ଓ ସଦର ଥାନା ତଥା ସଦର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଏହି ଘଟଣାର ଛାନ୍ଭିନ୍ କରାଯାଇଥିଲା । ଅଭିଯୁକ୍ତମାନେ ଖନ୍ତାପଡ଼ାଠାରୁ ଆରମ୍ଭ କରି ରୁପ୍ସା ଓ ବସ୍ତା ଯାଏଁ ସେମାନଙ୍କ ଅପରାଧିକ କାର୍ଯ୍ୟ କରୁଥିଲେ। ବିଭିନ୍ନ ସମୟରେ ଅଭିଯୁକ୍ତମାନେ ଲୋକମାନଙ୍କୁ ଏକୁଟିଆ ପାଇ ମାରଣାସ୍ତ୍ର ଦେଖାଇ ଲୁଟ୍ କରୁଥିଲେ । ଏହି ଘଟଣା ପୋଲିସ ଜାଣିବା ପରେ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ଅପରାଧିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଥିଲା । ଏନେଇ ପୋଲିସ ଟିମ୍ ଏମିତି ଘଟଣା ଘଟାଉଥିବା ଅପରାଧୀଙ୍କ ମଧ୍ୟରୁ 5 ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରିଛି । ଯେଉଁମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।
ସେହିପରି ଲୁଟେରା ମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଗୋଟିଏ 4ଚକିଆ ମାଲବାହି ଗାଡ଼ି ସହ ତା ଭିତରେ ଥିବା ମେସିନ ଉଦ୍ଧାର କରିଛି ପୋଲିସ। ଏହାସହ ଗୋଟିଏ ବାଇକ ଯେଉଁଥିରେ ଅପରାଧିମାନେ ଲୁଟ କରିବା ପରେ ତାର ନମ୍ବର ବଦଳାଇ ଆହୁରି ଅପରାଧ କରିବାରେ ସକ୍ଷମ ହେଉଥିଲେ। ସେହିପରି ଦୁଇଟି ସ୍କୁଟି, 16ଟି ମୋବାଇଲ, ଗୋଟିଏ ଟାବଲେଟ, 2ଟି ପେନ୍ଡ୍ରାଇଭ, ଏଟିଏମ କାର୍ଡ, 4ଟି ପର୍ସ, ଲାପଟପ ବ୍ୟାଗ, ବ୍ଲୁ ଟୁଥ୍ ଇଅରଫୋନ୍ ଭଳି ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ଉଦ୍ଧାର ପରେ ପୋଲିସ ଏହିସବୁ ସାମଗ୍ରୀ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି । ତେବେ ଏହି ଲୁଟେରା ଗ୍ୟାଙ୍ଗମାନଙ୍କ ମଧ୍ୟରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ରିପୁନ ଜେନା, ଗଜେନ୍ଦ୍ର ଦାସ, ଧର୍ମେନ୍ଦ୍ର ପରିଡ଼ା, ସୂର୍ଯ୍ୟକାନ୍ତ ଦାସ, ଆକାଶ ଲେଙ୍କା ।
ତେବେ ଏହି ଅଭିଯୁକ୍ତମାନେ ରାଜପଥରେ ଛକି ବସି ଯେଉଁଠି ଗାଡି ସ୍ଲୋ କରିବା ପାଇଁ ଲୋକମାନେ ବ୍ରେକ ମାରୁଥିଲେ ଓ ଲିଫ୍ଟ ନେବା ବାହାନାରେ ସେମାନଙ୍କୁ ଲୁଟ୍ କରୁଥିଲେ । ସମସ୍ତ ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି ବୋଲି ପୋଲିସ କହିଛି । ଏହାସହ ଗିରଫ ଅଭିଯୁକ୍ତମାନେ ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପଡିଛି । ଦିନରେ ରଙ୍ଗ କାମ ଓ ରାତିରେ ଏହି ଅଭିଯୁକ୍ତମାନେ ରାଜପଥରେ ଲୁଟ କରୁଥିଲେ । ଅନ୍ୟପଟେ ଏହି ଗ୍ୟାଙ୍ଗ୍ର ଆହୁରି ଚିହ୍ନଟ ହୋଇଥିବା 3ଜଣ ଗିରଫ ହେବାପରେ ଏହା ପଛରେ ଆଉ କେତେଜଣ ରହିଛନ୍ତି ସେନେଇ ପୋଲିସ ତଦନ୍ତ କରିବ ବୋଲି ସୂଚନା ଦିଆଯାଇଛି । ତେବେ ଏମିତି ରାଜପଥ ଲୁଟେରାମାନଙ୍କ ପ୍ରତି ସାଧାରଣ ଲୋକେ ସତର୍କ ଓ ସଚେତନ ରହିବା ପାଇଁ କୁହାଯାଇଛି ।
ଇଟିଭି ଭାରତ, ବାଲେଶ୍ବର