ବଲାଙ୍ଗୀର: ଦୁଇ ଦିନିଆ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଦୁଇ ହଜାରରୁ ଊର୍ଦ୍ଧ୍ବ ଗୋପାଳକ ତଥା ଦୁଗ୍ଧ ଚାଷୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଦୁଗ୍ଧ ଚାଷୀ ସହିତ ଉଦୟୀମାନ ଉଦ୍ୟୋଗୀଙ୍କ ରୋଜଗାର ବୃଦ୍ଧି ଏବଂ ମେକ ଇନ ଓଡ଼ିଶାରେ ସାମିଲ ନେଇ ପ୍ରଚେଷ୍ଟା ଆରମ୍ଭ ହୋଇଛି ।
ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀରେ ଦୁଗ୍ଧ ଚାଷୀଙ୍କ ସମେତ ଶତାଧିକ ଦୁଗ୍ଧ କମ୍ପାନୀ, ଜାତୀୟ ସ୍ତରର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ଏଥିରେ ସାମିଲ ହୋଇଥିଲେ । ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ବିଗତ ଦୁଇ ବର୍ଷ ହେବ ଦୁଗ୍ଧ ଉପ୍ତାଦନ ବୃଦ୍ଧି ପାଇଛି । ଫଳରେ ଚାଷୀ ଲାଭବାନ ହୋଇଛନ୍ତି । ଚାଷୀଙ୍କୁ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ଶୈଳୀ, ଦୈନନ୍ଦିନ ଆସୁଥିବା ସମସ୍ୟା ସମାଧାନ ସହ କିପରି ନିଜ ଆୟ ବୃଦ୍ଧି କରିପାରିବେ ସେନେଇ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଦେଶର ଅନେକ ଉଦ୍ୟୋଗୀ, କମ୍ପାନୀମାନେ ମଧ୍ୟ ଏଠିକାର ଚାଷୀଙ୍କ ସହିତ ସିଧାସଳଖ କଥା ହୋଇ ବିଭିନ୍ନ ଉତ୍ପାଦ ବାବଦରେ ଜଣାଇଛନ୍ତି । ସମାନ ଭାବରେ ଏଠି ସାମିଲ ହୋଇଥିବା ଦେଶର ବିଭନ୍ନ ସଂସ୍ଥାନର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକମାନେ ମଧ୍ୟ ଚାଷୀଙ୍କ ସହିତ ଆଲୋଚନା କରି ପରାମର୍ଶ ଦେଇଛନ୍ତି । ତେବେ ଏଥିରେ ବିକେଏନ ମିଳ୍କ ୟୁନିୟନର ସବୁ କର୍ମକର୍ତ୍ତା, ବିକେଏନ ଜିଏମ ଡାକ୍ତର ସରୋଜ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ସବୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
ପଶ୍ଚିମ ଓଡିଶା ବିକାଶ ପରିଷଦ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ ସଚିବ ଅସିତ କୁମାସର ତ୍ରିପାଠୀ, ମନ୍ତ୍ରୀ ଟୁକୁନି ସାହୁ, ଭାରତୀୟ କୃଷକ ମଙ୍ଗଳ ଓ ବିକାଶ ମନ୍ତ୍ରଣାଳୟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏମଡି ଓଡ଼ିଶା ରାଜ୍ୟ ଦୁଗ୍ଧ ଉପ୍ତାଦନକାରୀ ସମବାୟ ଫେଡରେସନ, ତିନି ଜିଲ୍ଲାର ଅଧିକାରୀବଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମିଳନୀରେ ଯୋଗ ଦେଇ ବିଭିନ୍ନ ପ୍ରଶ୍ନ ଓ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସମ୍ମିଳନୀ ସଫଳ ଭାବରେ ଆୟୋଜିତ ହୋଇଥିବାରୁ ମନ୍ତ୍ରୀ ଟୁକୁନି ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସେ କହିଛନ୍ତି,"ଦୁଗ୍ଧ ଚାଷ ଲୋକଙ୍କ ଆୟ ବୃଦ୍ଧି କରିବା ସହ ଦାଦନ ପ୍ରବଣ ଏହି ତିନି ଜିଲ୍ଲା ପାଇଁ ଲୋକଙ୍କୁ ରୋଜଗାର ଦେବ । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ 2019 ଓ 2020 ବର୍ଷରେ 17 ହଜାର ଦୁଗ୍ଧ ଚାଷୀ ଥିଲେ । ସେ ସମୟରେ 34 ହଜାର ଲିଟର ଦୁଗ୍ଧ ଉପ୍ତାଦନ ହେଉଥିଲା । ହେଲେ ଏବେ ରାଜ୍ୟ ସରକାରଙ୍କ ସହଯୋଗ, ଯୋଜନା ଫଳରେ ଚାଷୀ ସଂଖ୍ୟା ଏବେ 50 ହଜାରକୁ ପହଞ୍ଚିଛି । ସେହିପରି ଏବେ 75 ହଜାର ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ଏବଂ ଚାଷୀ ମାସକୁ ସାତ କୋଟି ଟଙ୍କା ଅଧିକ ଆୟ କରିଛନ୍ତି।" ଏଠିକାର ଚାଷୀଙ୍କୁ ଶିକ୍ଷଣୀୟ ଜ୍ଞାନ ଦେବା ପାଇଁ ଜାତୀୟ ସ୍ତରୀୟ ସମ୍ମିଳନୀ ସଫଳ ହୋଇଥିବାର ବଲାଙ୍ଗୀର ଜିଲ୍ଲାପାଳ କହିଛନ୍ତି।
ଇଟିଭି ଭାରତ, ବଲାଙ୍ଗୀର