ବଲାଙ୍ଗୀର: ଥମୁନି ହାତୀ ମଣିଷ ଲଢେଇ । କେତେ ବେଳେ ମନୁଷ୍ୟ ଆକ୍ରମଣରେ ହାତୀର ଜୀବନ ଯାଉଛି ତ ପୁଣି କେତେବେଳେ ହାତୀ ଆକ୍ରମଣରେ ମନୁଷ୍ୟର ମୃତ୍ୟୁ ହୋଇଛି । ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଜଙ୍ଗଲକୁ ଯାଇଥିବା ବେଳେ ଜଣେ ବୃଦ୍ଧାଙ୍କୁ କଚାଡି ମାରିଛି ହାତୀ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ମାକରଚୁଆଁ ଗ୍ରାମ ଝାଙ୍କରକୋଟ ଜଙ୍ଗଲରେ । ମୃତ ବୃଦ୍ଧା ଜଣକ ଆଟଗାଁ ମୁଗ ନନ୍ଦ ଓରଫ ପ୍ରେମଲତା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ଦାନ୍ତ ଘଷା କାଠି ଭାଙ୍ଗି ବଲାଙ୍ଗୀର ସହରକୁ ବିକ୍ରୀ କରିବାକୁ ଯାଆନ୍ତି । ସବୁଦିନ ଭଳି ଗତକାଲି (ଶନିବାର) ସକାଳୁ ବାହାରି ଜଙ୍ଗଲକୁ କାଠି ଭାଙ୍ଗିବାକୁ ଆସିଥିଲେ । ଏହି ସମୟରେ ପୂର୍ବରୁ ଜଙ୍ଗ ରେ ରହୁଥିବା ହାତୀ ହାବୁଡରେ ପଡ଼ିଥିଲେ ବୃଦ୍ଧା ଜଣଙ୍କ । ଏହାପରେ ହାତୀଟି ବୃଦ୍ଧା ଜଣଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ-କାଳ ହେଲା ମର୍ଣ୍ଣିଂ ୱାକ, ରାସ୍ତାରେ ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା
ଅନ୍ୟପଟେ ସନ୍ଧ୍ୟା ସୁଦ୍ଧା ବୃଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ । ଆଜି ସକାଳେ ଘଞ୍ଚ ଜଙ୍ଗଲ ଭିତରେ ତାଙ୍କର ମୃତଦେହ ପଡ଼ିଥିବାର କିଛି ଲୋକ ଦେଖିଥିଲେ । ଏନେଇ ପୋଲିସ ଓ ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ସେପଟେ ବଲାଙ୍ଗୀର ରେଞ୍ଜ ଅଧିକାରୀ ଓ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଅଞ୍ଚଳରେ ହାତୀ କେଉଁଠୁ ଆସିଲା ଓ କେତେ ସଂଖ୍ୟାରେ ହାତୀ ଜଙ୍ଗଲରେ ଅଛନ୍ତି ତାକୁ ନେଇ ମଧ୍ୟ ଖୋଳତାଡ ଆରମ୍ଭ ହୋଇଛି । ସେପଟେ ମୃତକଙ୍କ ପରିବାର ବର୍ଗ କ୍ଷତିପୂରଣ ଦାବି କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ହାତୀକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ହାତୀ ଘଉଡାଇବା ପାଇଁ ଦାବି ହୋଇଛି ।
ଜୁଲାଇ 14 ତାରିଖରେ ମୟୂରଭଞ୍ଜରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରୁମୂଳା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ମୃତକ ହେଲେ ପଶ୍ଚିମବଙ୍ଗର ଅଧର ପାତ୍ର । ସେ ଝିଅ ଘରକୁ ବୁଲିବାକୁ ଆସିଥିବା ବେଳେ ଏପରି ଦୁଃଖଦ ଘଟଣା ଘଟିଥିଲା।
ଇଟିଭି ଭାରତ,ବଲାଙ୍ଗୀର