ବଲାଙ୍ଗୀର: ଜିଲ୍ଲାର ସର୍ବ ପୁରାତନ ଆୟୁର୍ବେଦିକ ମହାବିଦ୍ୟାଳୟର ବିକାଶ ପାଇଁ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ମିଳିଛି । କିନ୍ତୁ ହୋଇପାରୁନି କଲେଜର ବିକାଶ । କାହିଁକି କଲେଜର ଉନ୍ନତି ପାଇଁ ଟଙ୍କାକୁ ବିନିଯୋଗ ହୋଇପାରୁନି ସେନେଇ ପ୍ରଶ୍ନ କରିଛି ପୁରାତନ ଛାତ୍ର ସଂଗଠନ । ସେପଟେ ଏଷ୍ଟିମେଟ ରିଭାଇଜ ହୋଇ ନଥିବାରୁ କାମ ଆରମ୍ଭ ହେଉନଥିବା କହିଛନ୍ତି କଲେଜ କର୍ତ୍ତୃପକ୍ଷ ।
ବଲାଙ୍ଗୀରର ଆୟୁର୍ବେଦିକ ମହାବିଦ୍ୟାଳୟର ବିକାଶ ପାଇଁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଓ ଆୟୁଷ ବିଭାଗ 25 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ଯେଉଁଥିରେ କଲେଜରେ ସୋଲାର ବ୍ୟବସ୍ଥା ପାଇଁ 22ଲକ୍ଷ 50ହଜାର ଟଙ୍କା, ପଞ୍ଚ କର୍ମ ବିଲ୍ଡିଂ ପାଇଁ 96 ଲକ୍ଷ 91 ହଜାର, ପାର୍କିଂ ଓ କ୍ଳାସ ରୁମ ପାଇଁ 5 କୋଟି 42 ଲକ୍ଷ 34 ହଜାର, କଲେଜ ଚାରିପାଖ ପାଚେରି ନିର୍ମାଣ ପାଇଁ 23 ଲକ୍ଷ 61 ହଜାର, ଲାଇବ୍ରେରୀ ଓ ଅଡିଟୋରିୟମ ପାଇଁ 14 କୋଟି 51 ଲକ୍ଷ ଟଙ୍କା, ଡ଼ିପାର୍ଟମେଣ୍ଟ ବିଲ୍ଡିଂ, ହର୍ବାଲ ଗାର୍ଡେନ, ମୁଖ୍ୟ ଗେଟ, ଇତ୍ୟାଦି ପାଇଁ 29 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସରକାର ଅନୁଦାନ ପ୍ରଦାନ କରିଛନ୍ତି । ତେବେ ମୋଟ 25 କୋଟିରୁ ଉର୍ଦ୍ଧ୍ବ ଟଙ୍କା ସରକାର ଅନୁଦାନ ଦେଇଥିବା ବେଳେ ଏହାକୁ ବିନିଯୋଗ କରାନଯାଇ ପଡିରହିଛି । ଯାହାକୁ ନେଇ ଆୟୁର୍ବେଦିକ ପୁରାତନ ଛାତ୍ର ସଂଗଠନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ।
ପୁରାତନ ଛାତ୍ର ସଂଗଠନ ସଭାପତି ବାସୁଦେବ ପତି କହିଛନ୍ତି ଯେ,'' ଏହି କଲେଜ ପାଇଁ ଆୟୁଷ ବିଭାଗ ପ୍ରଥମ କରି 25 କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆର୍ଥିକ ରାଶି ଅନୁଦାନ ଦେଇଛନ୍ତି । ହେଲେ କଲେଜ କର୍ତ୍ତୃପକ୍ଷ ଓ ବଲାଙ୍ଗୀର ରୋଡ଼ ଓ ଗୃହ ନିର୍ମାଣ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଏହାର ସଠିକ ବ୍ୟବହାର ହେଉନାହିଁ । ଏହି ଟଙ୍କା ସଠିକ ଭାବରେ ବ୍ୟବହାର ହେଲେ ବଲାଙ୍ଗୀର ଜିଲ୍ଲାର ଏହି କଲେଜ ତଥା ଏଠିକାର ଛାତ୍ରଛାତ୍ରୀ ସହିତ ଲୋକେ ଉପକୃତ ହେବେ ।''
ସେପଟେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ନିଜେ ଏହି ଅନୁଦାନ କଲେଜ ପାଇଁ ଆଣିବାରେ ସଫଳ ହୋଇଥିବାର କହିଛନ୍ତି । ଏହି ଟଙ୍କା ସରକାର ମଞ୍ଜୁର କରିଥିବା କେବଳ ଆଡ଼ମିନିଷ୍ଟ୍ରେଟିଭ ଅନୁମତି ଦେଇଛନ୍ତି । ବଲାଙ୍ଗୀର ଆର ଆଣ୍ଡ ବି ବିଭାଗ ଟେଣ୍ଡର ପ୍ରକ୍ରିୟା କରିବ ଓ କାମ ଆରମ୍ଭ ହେବ । ଶ୍ରମିକଙ୍କ ପାରିଶ୍ରମିକ ଓ ନିର୍ମାଣ ସାମଗ୍ରୀ ମୂଲ୍ୟ ଯୋଗୁଁ କାମ ଆରମ୍ଭ ହୋଇପାରିନାହିଁ । ଏନେଇ ଆର ଆଣ୍ଡ ବି ବିଭାଗ ସହିତ ଆଲୋଚନା କରିଥିବା ବେଳେ ଖୁବ ଶୀଘ୍ର କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ।
ଇଟିଭି ଭାରତ,ବଲାଙ୍ଗୀର