ବଲାଙ୍ଗୀର: ଓଡ଼ିଶାରେ ବେଆଇନ୍ କଫ୍ ସିରପ ରାକେଟ ଚିନ୍ତାର ବିଷୟର ପାଲଟିଛି । ବଲାଙ୍ଗୀର ପୋଲିସ ହାବୁଡରେ ଧରା ପଡିଛି ଏକ କଫ୍ ସିରପ ଗ୍ୟାଙ୍ଗ୍ । ୧୫ ହଜାରରୁ ଊର୍ଦ୍ଧ୍ବ ବେଆଇନ୍ କଫ୍ ସିରପ ସହ ୩୭ ଜଣଙ୍କୁ ଧରିଲା ପୋଲିସ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଗ୍ୟାଙ୍ଗ ବେଆଇନ୍ ଭାବେ କଫ୍ ସିରପ ଚାଲାଣ କରୁଥିବା ସୂଚନା ଦେଇଛି ପୋଲିସ । ସୂଚନା ଆନୁଯାୟୀ ସାରା ରାଜ୍ୟରେ ବେଆଇନ୍ କଫ ସିରପ ଚାଲଣ କରୁଥିବା ଗ୍ୟାଙ୍ଗ ସମ୍ପର୍କରେ ଏକ ଗୁପ୍ତ ଖବର ପାଇଥିଲା ବଲାଙ୍ଗୀର ପୋଲିସ । ଏହାପରେ ବଲାଙ୍ଗୀର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ବିଭିନ୍ନ ସ୍ଥାନରୁ ୧୫ ହଜାରରୁ ଊର୍ଦ୍ଧ୍ବ ବେଆଇନ୍ କଫ୍ ସିରପ ବୋତଲ ଜବତ କରିଛି । ସେହିପରି ଜିଲ୍ଲା ଓ ଜିଲ୍ଲା ବାହାରୁ ମୋଟ 37 ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଗକୁ ଏହି ଗିରଫ ସଂଖ୍ୟା ବଢିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।
ସେହିପରି ଏହି ମାମଲାରେ ବଲାଙ୍ଗୀର ପୋଲିସ ମୁଖ୍ୟ ଯୋଗାଣକାରୀକୁ ଧରିବାରେ ସଫଳ ହୋଇଛି । ତେବେ ମୁଖ୍ୟ ଯୋଗାଣକାରୀ କଟକର ହୋଇଥିବା ସୂଚନା ରହିଛି । ଏହାସହ ଓଡ଼ିଶାକୁ ବେଆଇନ ଭାବରେ ନକଲି କଫ୍ ସିରଫ ବିକ୍ରି କରୁଥିବା ଅଭିଯୋଗରେ ବଲାଙ୍ଗୀର ପୋଲିସ କୋଲକାତାର ଏକ ଔଷଧ ନିର୍ମାତା କମ୍ପାନୀର ଦୁଇ କୋଟିର ବ୍ୟାଙ୍କ୍ ଏକାଉଣ୍ଟ ଫ୍ରିଜ୍ କରିଛି ।
ଏହି ଦିଗରେ ତଦନ୍ତ ଜାରି ରହିଥିବା ବେଳେ କମ୍ପାନୀର କିଛି ଅଧିକାରୀ ମଧ୍ୟ ଏଥିରେ ଗିରଫ ହେବେ ବୋଲି ପୋଲିସ ସୂଚନା ଦେଇଛି । ତେବେ ବଲାଂଗୀର ଏସ୍ପି ନିତିନ କୁସଲକର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଉପରେ ବିସ୍ତୃତ ସୂଚନା ଦେଇଛନ୍ତି । ବଲାଙ୍ଗୀର ଏସ୍ପି ନୀତିନ କୁଶଲକର କହିଛନ୍ତି, ‘‘ବଲାଙ୍ଗୀର ଓ ରାଜ୍ୟର ଅନେକ ସ୍ଥାନରେ କଫ ସିରପର ନିଶା କାରବାର ଜୋର ଧରିଛି । ଯୁବପିଢି ଏଥିରେ ନିଜର ଧନ ଜୀବନ ହାରିଥିବା ବେଳେ କଫ୍ ସିରଫ ମାଫିଆ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।’’
ତେବେ ବଲାଙ୍ଗୀର ପୋଲିସ ଏହା ଉପରେ ପଦକ୍ଷେପ ନେଇଛି । ବେଆଇନ କଫ୍ ସିରଫ ନିଶା କାରବାରକୁ ନେଇ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରି ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ଏଥିରେ ଓଡିଶାର ବରଗଡ଼, କଟକ, ବଲାଙ୍ଗୀରର 37 ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି ଉତ୍ତର ପ୍ରଦେଶର ଦୁଇ ଜଣ ରାଜ କପୁର ଓ ରବି କୁମାରକୁ ମଧ୍ୟ ପୋଲିସ ଗିରଫ କରିଛି । ସେହିପରି ଏମାନଙ୍କଠାରୁ ଏକ ଦାମୀ ଏସୟୁଭି, ଏକ ଟାଟା ଏସ ଗାଡି, ଏକ ମହିନ୍ଦ୍ରା ପିକଅପ ଭ୍ୟାନ, ଦୁଇଟି ମୋଟର ସାଇକଲ ପୋଲିସ ଜବତ କରିଛି । ସମାନ ଭାବରେ ଗୋଟିଏ ଦେଶି ପିସ୍ତଲ ସହ ମାରଣାସ୍ତ୍ର, ସୁନା ଅଳଙ୍କାର, 17ଟି ମୋବାଇଲ, ଓ ନଗଦ ସାତ ହଜାର ପାଞ୍ଚ ଶହ ଟଙ୍କା ପୋଲିସ ଜବତ କରିଥିବାର ଏସ୍ପି କହିଛନ୍ତି ।
ସେହିପରି ପ୍ରଥମ କରି ଏହାର ମୁଖ୍ୟ ଯୋଗାଣକାରୀ କମ୍ପାନୀ କୋଲକାତାର ଔଷଧ ନିର୍ମାତା ଡେଫୋ ଡିଲ୍ ଡ୍ରଗ୍ସ ପ୍ରାଇଭେଟ ଲିମିଟେଡର ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ୍ ଆକାଉଣ୍ଟ ସିଜ କରିଛି । ଏହି କମ୍ପାନୀର ଅଧିକାରୀ ଓ ମାଲିକଙ୍କ ମଧ୍ୟ ପଚରାଉଚରା ଜାରି ରହିଥିବା ବେଳେ ସେମାନେ ମଧ୍ୟ ଖୁବଶୀଘ୍ର ଗିରଫ ହେବେ ବୋଲି ଏସ୍ପି କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର