ବଲାଙ୍ଗୀର: ତାପମାତ୍ରାରେ ଶୀର୍ଷରେ ରହି ଆସୁଥିବା ବଲାଙ୍ଗୀର ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ତାତି ବଢିଛି । ସକାଳ ହେବାମାତ୍ରେ ପ୍ରଚଣ୍ଡ ଖରା ସହ ଗରମ ଝାଞ୍ଜି ପବନ ବହୁଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଏବେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିଛି ଯାହା ପୁର୍ବର ସବୁ ରେକର୍ଡ ଭାଙ୍ଗି ପାରା ଏବେ ୪୫ ଡିଗ୍ରୀକୁ ପହଞ୍ଚିଛି । ଏଭଳି ସ୍ଥିତିରେ ଅଂଶୁଘାତ ଜନିତ ମୃତ୍ୟୁ ଘଟିବାର ସମ୍ଭାବନା ବୃଦ୍ଧି ପାଇଛି । ସେପଟେ ପ୍ରଚଣ୍ଡ ଖରା ଓ ଗରମ ସାଙ୍ଗକୁ ପାଣି ସମସ୍ୟା ତଥା ଅଘୋଷିତ ବିଦ୍ୟୁତ କାଟ ନାକେ ଦମ କରିଛି ଜିଲ୍ଲାବାସୀଙ୍କୁ ।
ଫନି ପ୍ରଭାବରେ କିଛି ଦିନ ମେଘୁଆ ପାଗ ତଥା କାଳ ବୈଶାଖୀ ଗରମରୁ ଲୋକଙ୍କୁ କିଛିଟା ଆସ୍ୱସ୍ତି ଦେଇଥିଲା କିନ୍ତୁ ଏବେ ପୁଣି ତାତି ଫେରିଛି । ଗୋଟିଏ ପଟେ ପାରା ଶୀର୍ଷରେ ପହଞ୍ଚି ଥିବା ବେଳେ ସକାଳ ୮ ସମୟରୁ ଆକାଶରୁ ଅଗ୍ନି ବର୍ଷା ହେଉଛି । ଏହା ସାଙ୍ଗକୁ ଗରମ ଝାଞ୍ଜି ପବନ ରାତି ପର୍ଯ୍ୟନ୍ତ ବହୁଛି । ଯାହା ଫଲରେ ସାଧାରଣ ଲୋକ ପ୍ରବଳ ଗରମରେ ଶିଝୁଛନ୍ତି । କାମ ନଥିଲେ ଘରୁ ବାହାରକୁ ବାହାରୁ ନାହାନ୍ତି । ଫଳରେ ସହରରେ ଦିନ ବେଳା ଏକପ୍ରକାର ଅଘୋଷିତ କର୍ଫ୍ୟୁ ଲାଗିଲା ଭଲି ମନେ ହେଉଛି ।
ଚଳିତ ବର୍ଷ ପ୍ରଚଣ୍ଡ ଖରା ଓ ଗରମ ପାଇଁ ବଲାଙ୍ଗୀର ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଲୋକଙ୍କୁ ଖରାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ସହ ଦିନବେଳା ବାହାରକୁ ନ ବାହାରିବା ପାଇଁ କୁହାଯାଇଛି । ତେବେ ଜିଲ୍ଲାରେ ଦିନରେ ପାରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ରାତିରେ ମଧ୍ୟ ଗରମରୁ ତ୍ରାହି ମିଳୁ ନାହିଁ । ଅନ୍ୟପଟେ ସହରରେ ଅନେକ ସ୍ଥାନରେ ଲାଗି ରହିଥିବା ଜଳ ସମସ୍ୟା ଏହି ସ୍ଥିତିକୁ ଆହୁରି ଜଟିଳ କରିଛି । ସେପଟେ ସହରରେ ଘୋଷିତ ଭାବେ ଦିନକୁ ଦୁଇ ଘଣ୍ଟା ଓ ଅଘୋଷିତ ଭାବେ ଅନେକ ଥର ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ