ବଲାଙ୍ଗୀର: ଜାଲ ସାର୍ଟିଫିକେଟ ମାମଲାର ତଦନ୍ତ ନେଇ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କ ସମ୍ପର୍କୀୟମାନଙ୍କୁ ଜେରା କରିଛି । ଜାଲ ସାର୍ଟିଫିକେଟ ରାକେଟର ଦୁଇ ମାଷ୍ଟର ମାଇଣ୍ଡକୁ ଗତ ତିନିଦିନ ହେବ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ । ଶନିବାର ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବାକୁ ଥିବାବେଳେ ଏହା ପୂର୍ବରୁ ଅସୁସ୍ଥ ହୋଇପଡିଛି ମୁଖ୍ୟ ଅଭିଯୁକ୍ତ ଆଲୋକ ଉଦଗାତା । କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତ ଆଲୋକ ଅସୁସ୍ଥ ହୋଇ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଚିକିତ୍ସା ହେଉଛି ।
ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲାରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ସମେତ ଅନ୍ୟ ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହୋଇଛି । ତେଣୁ କ୍ରାଇମବ୍ରାଞ୍ଚ ଟିମ ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାର ଥିଲା । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଆଲୋକ ଉଦଗାତା ଅସୁସ୍ଥ ହୋଇପଡ଼ିଥିଲା । ସକାଳୁ ତାକୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ରକ୍ତଚାପ ବଢ଼ି ଯାଇଥିବା ଯୋଗୁଁ ସ୍ବାସ୍ଥ୍ୟ ବିଗିଡ଼ିଯାଇଥିବା ସୂଚନା ମିଳିଛି । ଆଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ସେପଟେ କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର ବେଆଇନ ସମ୍ପତ୍ତି ଉପରେ ଯାଞ୍ଚ ଆରମ୍ଭ କରିଛି ।
ତେବେ ପୂର୍ବରୁ ବଲାଙ୍ଗୀର ପୋଲିସ ଏହି ମାମଲାରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପାଞ୍ଚଟି ପ୍ଲଟ ଓ ସାତଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଥିଲା । ବେଆଇନ ସମ୍ପତ୍ତିକୁ ଏବେ କ୍ରାଇମବ୍ରାଞ୍ଚ ମାମଲାରେ ସଂଯୋଗ କରିବାର ପ୍ରକ୍ରିୟା ଆରମ୍ଭ କରିଥିବାର ଜଣାପଡ଼ିଛି । ସେପଟେ କ୍ରାଇମବ୍ରାଞ୍ଚ ବଲାଙ୍ଗୀରରେ ତଦନ୍ତ ଜାରି ରଖିଥିବା ବେଳେ ଏହି କ୍ରମରେ ପ୍ରଥମେ ପୋଲିସ ସହ ତଥ୍ୟ ଆଦାନ ପ୍ରଦାନ କରିଥିଲା । ପରବର୍ତ୍ତୀ ସମୟରେ ଡାକ ବିଭାଗକୁ ଯାଇ ତଦନ୍ତକୁ ତ୍ଵରାନ୍ବିତ କରିଥିଲା । ତେବେ ନିଜେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ବଲାଙ୍ଗୀରରେ ରହି ଯାଞ୍ଚର ତଦାରଖ କରିଥିଲେ । ରିଲାଏନ୍ସ କୋଚିଂ ସେଣ୍ଟରକୁ ଯାଇ ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ଏହାପରେ ଅଭିଯୁକ୍ତମାନଙ୍କ ସମ୍ପର୍କୀୟଙ୍କୁ ଡାକି ଜେରା କରାଯାଇଥିଲା । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର କହିଛନ୍ତି, " ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କ ଠାରୁ ଅନେକ ତଥ୍ୟ ଓଗାଳିଛି କ୍ରାଇମବ୍ରାଞ୍ଚ । ଘଟଣାର ତଦନ୍ତ ଜାରି ରହିଛି । ଏଥିରେ ଆହୁରି ଅନେକ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଖୁବଶୀଘ୍ର ସେମାନଙ୍କୁ ଖୋଜି ଗିରଫ କରାଯିବ ।"
ଇଟିଭି ଭାରତ, ବଲାଙ୍ଗୀର