ବଲାଙ୍ଗୀର: ଜିଲ୍ଲାରେ ବୁଧବାର ପୁଣି 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଦିନକୁ ଦିନ ଜିଲ୍ଲାର ବୃଦ୍ଧିପାଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।
ବଲାଙ୍ଗୀର ସହର ହଟସ୍ପଟ ପାଲଟିଥିବା ହତୀସାଲପଡା ବେଶି ଚିନ୍ତା ବଢ଼ାଇଛି । ଯେଉଁଥିରେ ବୁଧବାର ଏହି ପଡ଼ାରୁ ପୁଣି 18 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଏହି ପଡାରୁ ଏଯାବତ 62 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏହି ସବୁ ଆକ୍ରାନ୍ତ ଲୋକାଲ କେସ ଥିବା ବେଳେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ଏବଂ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରାଯାଇଛି ।
ସେପଟେ ବୁଧିବାର ଖପ୍ରାଖୋଲ ଦେଓଧର ଗ୍ରାମରୁ ଜଣେ ମହିଳା, ଆଗଲପୁର ଡୁଦୁକା ଗ୍ରାମରୁ ଜଣେ ମହିଳା ଓ ସାଇଁତଲା କୁଆଁର ଗ୍ରାମରୁ ଆଉ ଜଣେ ମହିଳା କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 248 ରେ ପହଞ୍ଚିଛି । ଯେଉଁଥିରୁ 166 ଜଣ ସୁସ୍ଥ ହୋଇଥିବା ବେଳେ 82 ଜଣ ଏକ୍ଟିଭ ମାମଲା ଚିକିତ୍ସାଧୀନ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ବଲାଙ୍ଗୀରରୁ ଶେଖମହମ୍ମଦ ୱାହିଦ,ଇଟିଭି ଭାରତ