ବଲାଙ୍ଗୀର: ଜଗତ ଜନନୀଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ଏହି ଅବସରରେ ବଲାଙ୍ଗୀରର ସମସ୍ତ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା । ଦୁର୍ଗା ପୂଜା ପାଇଁ ଅନେକ ପୂଜା ମଣ୍ଡପ ଗୁଡିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭବ୍ୟ ଆୟୋଜନ କରିଛନ୍ତି । ହେଲେ ବଲାଙ୍ଗୀରର ଏକ ପୂଜା ମଣ୍ଡପ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିବା ସହିତ ଦୁର୍ଗା ପୂଜା ପାଇଁ ଆସିଥିବା ଦାନ ଟଙ୍କାକୁ ଜଣେ କ୍ୟାନସିର ପୀଡିତଙ୍କୁ ଦାନ କରିଛନ୍ତି ।
ମହମାୟାଙ୍କ ପୂଜାର୍ଚ୍ଚନାରେ ସାରା ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଚଳିତ ବର୍ଷ କୋରୋନା କଟକଣା ହଟିଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ମହା ଆଡମ୍ବରରେ ଚାଲିଛି ମା' ଦୁର୍ଗାଙ୍କ ପୂଜା । ହେଲେ ସହରର ଠିକାଦାରପଡା ପୂଜା କମିଟି ପୂଜା ପାଇଁ ପାଇଥିବା ଦାନ ଟଙ୍କା ଏଥର ବଲାଙ୍ଗୀରର ଜଣେ କ୍ୟାନସର ପୀଡିତ ଯୁବକକୁ ଦେଇ ସାହାଯ୍ୟ କରିବାକୁ ସ୍ଥିର କରିଛି । ଜିଲ୍ଲାର ଠିକାଦାର ପଡାର ଯୁବ ସାମାଜିକ କର୍ମୀ ରାଜା ଜାଲ୍ ତାଙ୍କ କାମ ପାଇଁ ସାରା ଜିଲ୍ଲାରେ ପରିଚିତ ।
ହେଲେ ଯିଏ ପରର ଦୁଃଖରେ ଠିଆ ହୋଇ ସାହାଯ୍ୟ ସହଯୋଗ କରୁଥିଲା ସେ ଏବେ ଶଯ୍ୟାଶାୟୀ । ସେ ରକ୍ତ କର୍କଟ ରୋଗରେ ପୀଡିତ ହୋଇ କଟକ ବଡ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ହେଲେ ରାଜା ଜାଲଙ୍କ ଚିକିତ୍ସା ପାଇଁ ବାଧକ ସାଜିଛି ଦାରିଦ୍ର୍ୟତା । ତାଙ୍କର ଚିକିତ୍ସା ପାଇଁ ଅର୍ଥର ଅଭାବ ରହିଥିବାରୁ ତାଙ୍କୁ ସାହାଯ୍ୟ କରିବା ପାଇଁ ବଲାଙ୍ଗୀରର ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକ ଏକାଠି ହୋଇଛନ୍ତି । ଏବଂ ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଥିବା ଟଙ୍କା ଯୋଗାଡ କରିବାରେ ଲାଗିଛନ୍ତି ।
ବଲାଙ୍ଗୀର ବାସିନ୍ଦା ରାଜା ଜାଲଙ୍କୁ ଦଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସାହାଯ୍ୟ ପ୍ରଦାନ କରିଛନ୍ତି । ତେବେ ଠିକାଦାର ପଡା ପୂଜା କମିଟି ସବୁ ଥର ଆଡମ୍ବରର ସହ ମା'ଙ୍କ ପୂଜା କରିଆସୁଥିବାବେଳେ, ଏଥର କିନ୍ତୁ ପରମ୍ପରା ରକ୍ଷା ପାଇଁ ରୀତିନୀତି ଅନୁସାରେ ନିଡାମ୍ବରରେ ମା'ଙ୍କ ପୂଜା ଅନୁଷ୍ଠିତ କରିଛି । ପୂଜା ପାଇଁ ଆସିଥିବା ଦାନ ଟଙ୍କାକୁ ରାଜା ଜାଲଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିବ ବୋଲି କମିଟି କହିଛି । ସେପଟେ ଜିଲ୍ଲାର କ୍ୟାନସର ପୀଡିତଙ୍କ ପ୍ରତି ଏହି ପୂଜା ମଣ୍ଡପର ସମର୍ପଣ ଭାବନାକୁ ସବୁଠି ପ୍ରଶଂସା କରାଯାଇଛି ।
ଇଟିଭି ଭାରତ ,ବଲାଙ୍ଗୀର