ବଲାଙ୍ଗୀର : ବିଜୁଳି ପାଇଁ ନବୀନ ନିବାସ ଘେରାଉ । ଦୁଇଶହ ୟୁନିଟ ଯାଏଁ ମାଗଣା ବିଜୁଳି ନଦେଲେ ନବୀନ ନିବାସ ଘେରାଉ କରାଯିବା ସହ ବିଜୁଳି ଆନ୍ଦୋଳନ ହେବ । ଏଭଳି ଚେତାବନୀ ଦେଇଛି ଆପ ଦଳ । କୋଭିଡ ପରେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନଥିଲା । ଏହାରି ଭିତରେ ବିଜୁଳିର ଆକାଶ ଛୁଆଁ ଦର ବୃଦ୍ଧି ଲୋକଙ୍କ ଉପରେ ବୋଝ ହୋଇ ପଡ଼ିଛି । ତେବେ ଲୋକଙ୍କୁ ଏଥିରୁ ମୁକ୍ତି ଦେବା ପାଇଁ ବଲାଙ୍ଗୀର ଆପ ଦଳ ଏବେ ଅଣ୍ଟା ଭିଡ଼ିଛି । ସାରା ରାଜ୍ୟ 200 ୟୁନିଟ ମାଗଣା ବିଜୁଳି ଦାବିରେ ଆପ ଆରମ୍ଭ କରିବ ବିଜୁଳି ଆନ୍ଦୋଳନ। ଆପର କହିବାନୁସାରେ ଓଡ଼ିଶା ନିଜେ ବିଦ୍ୟୁତ୍ ଉତ୍ପାଦନ କରୁଛି । ହେଲେ ନିଜ ରାଜ୍ୟରେ ସରକାର ବିଜୁଳି ଗଚ୍ଛିତ ନରଖି ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରୁଛନ୍ତି ।
ଗୋଟେ ପଟେ ଦିଲ୍ଲୀ ଅନ୍ୟ ରାଜ୍ୟରୁ ବିଜୁଳି କିଣି ମଧ୍ୟ ଲୋକଙ୍କୁ ଦୁଇଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଦେଉଥିବା ବେଳେ ଓଡ଼ିଶା ସରକାର ଲୋକଙ୍କୁ ବିଜୁଳି ବିଲ ନାମରେ ଶୋଷଣ କରୁଥିବାର ଆପ ଅଭିଯୋଗ କରିଛି। ତେଣୁ ଆସନ୍ତା 9 ତାରିଖ ସୁଦ୍ଧା ଯଦି ଓଡ଼ିଶା ସରକାର ଓଡ଼ିଶାବାସୀଙ୍କ ପାଇଁ ଦୁଇଶହ ୟୁନିଟ ଯାଏଁ ମାଗଣା ବିଜୁଳି ନଦେବେ ତାହାଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆପ୍ ଦଳର ଜିଲ୍ଲା ସଭାପତି ଆଶିଷ ପାଣ୍ଡେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ