ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଛି । ରବିବାର ବଲାଙ୍ଗୀରରେ 19 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ବଲାଙ୍ଗୀର ସହର ମଧ୍ୟରୁ 13 ଜଣ ସ୍ଥାନୀୟ ସଂକ୍ରମଣ ଆଜି ଚିହ୍ନଟ ହୋଇଛନ୍ତି ।
ବଲାଙ୍ଗୀର ସହର ମଧ୍ୟରୁ ବେହେରାପାଲି ପଦାରୁ 5, ଗାନ୍ଧୀନଗର ପଡ଼ା, ମାଲ ପଡା, ସାଗର କଲୋନୀ ରେଳଷ୍ଟେସନ, ବରପାଲି ପଡ଼ା, ସୁଦପଡାରୁ ଜଣେ ଲେଖାଏଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତେ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି ।
ସମାନ ଭାବରେ କଣ୍ଟାବାଞ୍ଜି ସହରକୁ ପ୍ରଥମ କରି କୋରୋନା ଛୁଇଁଥିବା ବେଳେ ଏଠାରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ବଲାଙ୍ଗୀର ଚିମଣି ଭାଟି ପଡାରୁ 2 ଜଣ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ମଧ୍ୟ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଏତଦବ୍ୟତୀତ ବଲାଙ୍ଗୀର ଲୋଇସିଙ୍ଗା ବ୍ଲକ ବଞ୍ଝୋର ପାଳିରୁ ଜଣେ, ବଙ୍ଗୋମୁଣ୍ଡା କନ୍ଦାଖାଲ ଗ୍ରାମରୁ ତିନି ଜଣ ଓ ଖପ୍ରାଖୋଲ ଦେଓଧର ଗ୍ରାମରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ମଧ୍ୟ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି ।
ତେବେ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ଏଯାବତ୍ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 332ରେ ପହଞ୍ଚଥିବା ବେଳେ ଏମଧ୍ୟରୁ 271 ଜଣ ସୁସ୍ଥ ହୋଇଛନ୍ତି । ଏଥିସହ 61ଟି ମାମଲା ଏବେ ସକ୍ରିୟ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ