ଅନୁଗୋଳ: ଗାଁରେ କୋଠଘର ପାଇଁ ପଞ୍ଚାୟତ ସମିତି କର୍ଯ୍ୟାଳୟରେ ଲୋକଙ୍କ ଧାରଣା । ଦୁଇ ସାହି ମଧ୍ୟରେ ବିବାଦକୁ ନେଇ ଅନୁଗୋଳ ପଞ୍ଚାୟତ କର୍ଯ୍ୟାଳୟରେ ଧାରଣାରେ ବସିଥିଲେ ଲୋକେ । ଅଧିକାରୀ ଯେତେ ବୁଝାଇଥିଲେ ଫଳଶୂନ । ଦିନ ତମାମ ଲୋକେ ତାଙ୍କ ଗାଁରେ କୋଠଘର ତୁରନ୍ତ ନିର୍ମାଣ କରିବାକୁ ଅଡ଼ି ବସିଥିଲେ ।
ଅନୁଗୋଳ ବ୍ଲକର ଖିଣ୍ଡା ପଞ୍ଚାୟତ ମହିଧରପଡା ଗାଁର ଏକ ହରିଜନ ସାହିର ଶତାଧିକ ଲୋକେ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନଙ୍କ ଅଭିଯୋଗ ଯେ ସାହିରେ କୋଠଘର ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ 3ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା । କିନ୍ତୁ ସେହି କୋଠଘରଟି ଅନ୍ୟତ୍ର ନିର୍ମାଣ କରାଯାଉଛି । ନିର୍ମାଣ ସ୍ଥାନ ଫଳକରେ ସେମାନଙ୍କ ସାହିର ନାଁ ଲେଖା ଅଛି । ଏହା ଦେଖି ସାହି ଲୋକେ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ତେଣୁ ବାଧ୍ୟ ହୋଇ ଲୋକେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ସେମାନଙ୍କ ସାହି କୋଠଘର ସେମାନଙ୍କୁ ଫେରାଇ ଦେବାକୁ ଦାବି କରିଥିଲେ । ପରେ ବିଡ଼ିଓ ଓ ପୋଲିସ ପହଞ୍ଚି ବହୁ ବୁଝାସୁଝା କରିବା ପରେ ଧାରଣରୁ ଓହରି ଥିଲେ ଲୋକେ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ ଗାଁରେ ଘର ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା ସେଠାରେ ଘର ତିଆରି ନହୋଇ ଅନ୍ୟ ଗାଁରେ କେମିତି କରାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ