ଅନୁଗୋଳ: ମନ ମୋହୁଛି ଗ୍ରାମୀଣ ଉଦ୍ୟାନ । ଉଦ୍ୟାନରେ ଭଳିକି ଭଳି ଫୁଲର ସମ୍ଭାର । ତାସାଙ୍ଗକୁ ପାଚେରୀ କାନ୍ଥରେ ରଙ୍ଗ ବେରଙ୍ଗ ଚିତ୍ରର ସମାରୋହ । ଏଭଳି ଏକ ଗ୍ରାମୀଣ ଉଦ୍ୟାନ ଦେଖିବାକୁ ଏଠାକୁ ଦୂର ଦୁରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ । ଅନୁଗୋଳ ବ୍ଲକ ବାରଗୌଣିଆ ପଞ୍ଚାୟତରେ ଏଭଳି ଏକ ସୁନ୍ଦର ଏବଂ ମନୋରମ ଉଦ୍ୟାନ ଦେଖିବାକୁ ମିଳେ । ବାରଗୌଣିଆ ପଞ୍ଚାୟତର ପ୍ରସିଦ୍ଧ ଠାକୁରାଣୀ ମା' ପାଣ୍ଡୁରୁଶୁଣୀଙ୍କ ପୀଠ । ମା'ଙ୍କ ନାଁ ଅନୁସାରେ ସେଠାରେ ଥିବା ସଂରକ୍ଷିତ ଜଙ୍ଗଲକୁ ପାଣ୍ଡୁରୁଶୁଣୀ ସଂରକ୍ଷିତ ଜଙ୍ଗଲ ନାମରେ ନାମିତ କରାଯାଇଛି । ଚାରିଆଡେ ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ଓ ଜଙ୍ଗଲ । ମଝିରେ ମାଙ୍କ ପୀଠ ।
ସେହି ସ୍ଥାନରେ ଏକ ସୁନ୍ଦର ଉଦ୍ୟାନ ନିର୍ମାଣ କରିବାକୁ ପଞ୍ଚାୟତ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରା ଯାଇଥିଲା । ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗ୍ରାମୀଣ ଉଦ୍ୟାନ କରିବାକୁ ନିଷ୍ପତ୍ତି ନେବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଲୋକଙ୍କ ଅନୁରୋଧକୁ ରକ୍ଷାକରି ସେଠାରେ ଉଦ୍ୟାନ ନିର୍ମାଣ କରିବାକୁ ସ୍ଥିର କରିଥିଲା । ପ୍ରାୟ ସାଢ଼େ ୩ ଏକର ଜାଗାରେ ନିର୍ମାଣ କରାଗଲା ଉଦ୍ୟାନ । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମେତ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଯୋଗାଇ ଦିଆଗଲା । ଫଳରେ ଯେଉଁ ସ୍ଥାନଟି ଅପରିଷ୍କାର ହୋଇ ପଡି ରହିଥିଲା ସେହି ସ୍ଥାନରେ ଆଜି ଗଢି ଉଠିଛି ମନୋରମ ଉଦ୍ୟାନ । ଏଥିପାଇଁ ପ୍ରାୟ ୧ କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବର୍ତମାନ ଶତକଡା ୯୦ଭାଗ କାମ ଶେଷ ହୋଇ ଯାଇଛି । ଆଉ କେବଳ ସ୍ବିମିଂପୁଲ୍ ଓ ଅନ୍ୟାନ୍ୟ ଅଳ୍ପ କିଛି କାମ ଚାଲୁ ରହିଛି ।
ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ଅନେକ କିଛି କରାଯାଇଛି । ଫଳରେ ଦୈନିକ ଶହ ଶହ ପର୍ଯ୍ୟଟକ ଆସି ମନ ଭରି ଉପଭୋଗ କରୁଛନ୍ତି । ଏହି ଉଦ୍ୟାନରେ ସବୁ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା ରହିଛି । ଛୋଟ ପିଲାମାନଙ୍କ ପାଇଁ ଭଳିକି ଭଳି ଖସଡ଼ା ଓ ଦୋଳି ଅଛି । ବୟସ୍କ ମାନଙ୍କ ପାଇଁ ସୁନ୍ଦର ମଣ୍ଡପ ଓ ସିମେଣ୍ଟ ଚୌକି ନିର୍ମାଣ କରାଯାଇଛି । ପରିବେଶ ପ୍ରେମୀଙ୍କ ପାଇଁ ରଙ୍ଗ ବେରଙ୍ଗ ଫୁଲ ଗଛ, ସୁନ୍ଦର ରଙ୍ଗୀନ ଗଛ ଏବଂ ବିଭିନ୍ନ ଔଷଧୀୟ ବୃକ୍ଷ ଲଗା ଯାଇଛି । ପାଖକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲ ଉଦ୍ୟାନର ଶୋଭାକୁ ଦ୍ବିଗୁଣିତ କରୁଛି ।
ସ୍ଥାନଟି ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଛି ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ମାଁ ପାଣ୍ଡୁରୁଶୁଣୀଙ୍କ ସାନ୍ନିଧ୍ୟ ପାଇବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୌଭାଗ୍ୟ ଲାଭ କରନ୍ତି । ଏହି ଉଦ୍ୟାନର ସୌନ୍ଦର୍ଯ୍ୟ ଦେଖିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ମଧ୍ୟ ଆସିଥିଲେ । ଜିଲ୍ଲାପାଳ ବାରମ୍ବାର ଏଠାକୁ ଆସି ଆହୁରି ଉନ୍ନତି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ନିଜ ଅଞ୍ଚଳରେ ଏଭଳି ଏକ ମନୋରମ ଉଦ୍ୟାନ ହୋଇଥିବାରୁ ପଞ୍ଚାୟତବାସୀ ବେସ ଖୁସି । ସେମାନଙ୍କ କହିବା କଥା ଏହାଦ୍ୱାରା ବାହାରେ ବାରଗୌଣିଆ ପଞ୍ଚାୟତର ସୁନାମ ବଢୁଛି । ସେଥିପାଇଁ ପଞ୍ଚାୟତବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ