ଅନୁଗୋଳ: ଭାରତ ଛାଡ ଆନ୍ଦୋଳାନରେ ବନ୍ଦୀ ଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପିଲାଙ୍କୁ ଶିକ୍ଷା ଦେବାପାଇଁ ଗଢିଉଠିଥିଲା ଏହି ଅନୁଷ୍ଠାନ । ଏହିଠାରୁ ଗଡଜାତ ଆନ୍ଦୋଳନର ସୂତ୍ର ଧରୁଥିଲେ ବିପ୍ଳବୀ ମାଳତି ଦେବୀ ଓ ନବବାବୁ । ସମାଜର ନିଷ୍ପେସିତ ଗରିବ ଆଦିବାସୀ ପିଲାଙ୍କୁ ଶିକ୍ଷା ଦେବା ଥିଲା ଏହି ଅନୁଷ୍ଠାନର ଆଉ ଏକ ଲକ୍ଷ । ଆଜି ଏହି ଅନୁଷ୍ଠାନକୁ ଯିଏ ବି ଆସୁ ଭକ୍ତିରେ ତାର ମଥା ନଇଁଯାଏ । କାହିଁକି ନା ଏଠାରେ ଏବେବି ବଞ୍ଚିଛି ଗାନ୍ଧୀ ଚେତନା ଓ ରବୀନ୍ଦ୍ର ନାଥ ଟାଗୋରଙ୍କ ଚିନ୍ତାଧାରା ।
ଆମେ କହୁଛୁ ଅନୁଗୋଳ ଜିଲ୍ଲାରେ ଥିବା ମଣିଷ ତିଆରି କାରଖାନା ବାଜି ରାଉତ ଛାତ୍ରାବାସର କଥା । ଯାହାକି ଆଜି ବି ସ୍ଵାଧୀନତାର ବାର୍ତ୍ତା ବହନ କରେ । ଏହି ମଣିଷ ଗଢା କାରଖାନା ଅନେକଙ୍କୁ ଦୁନିଆର ପରିଚୟ ଦେଇଛି । ସମାଜର ନିଷ୍ପେସିତ, ଗରିବ, ଅବହେଳିତ, ବାପା-ମାଆ ଛେଉଣ୍ଡ ଓ ଆଦିବାସୀ ପିଲାମାନଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଅନୁଷ୍ଠାନ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ବିପ୍ଳବୀ ମାଳତି ଦେବୀଙ୍କ ହାତ ଗଢା ଏହି ଅନୁଷ୍ଠାନ । ଭାରତ ଛାଡ ଆନ୍ଦୋଳରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନଙ୍କ ପିଲାଙ୍କୁ ଶିକ୍ଷା ଦେବାପାଇଁ ୧୯୪୨ ମସିହାରେ ଗଢିଉଠିଥିଲା ଏହି ଅନୁଷ୍ଠାନ । ଭାରତ ବର୍ଷର ସର୍ବ କନିଷ୍ଠ ସହିଦଙ୍କ ନାମରେ ନାମିତ ବାଜି ରାଉତ ଛାତ୍ରାବାସ । ଆଜି ବି ଗାନ୍ଧୀଜୀଙ୍କ ନୀତି ଆଦର୍ଶ ଓ ରବୀନ୍ଦ୍ର ନାଥ ଟାଗୋରଙ୍କ ଚିନ୍ତାଧାରାରେ ମୁଣ୍ଡ ଟେକି ଠିଆ ହୋଇଛି ଏହି ଅନୁଷ୍ଠାନ । ସେତେବେଳେ ଏହିଠାରେ ରହି ଗଡଜାତ ଆନ୍ଦୋଳନର ସୂତ୍ର ଧରୁଥିଲେ ନବ ବାବୁ ଓ ଗଡଜାତର ଗାନ୍ଧୀ ଶାରଙ୍ଗ ଧର ଦାସ ।
୧୯୩୮ ମସିହା ଗଡଜାତ ଆନ୍ଦୋଳନର ସୂତ୍ରପାତ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ଅନୁଗୋଳ କେବଳ ମୋଗଲମାନଙ୍କ ଅଧୀନରେ ଥିବାବେଳେ ଏହାକୁ ଲାଗିଥିବା ପାଲଲହଡା, ହିନ୍ଦୋଳ, ତାଳଚେର, ଢେଙ୍କାନାଳ ଆଦି ଅନେକ ଛୋଟ ରାଜ୍ୟ ରାଜାଙ୍କ ଶାଶନରେ ଥିଲା । ସେତେବେଳେ ଛୋଟ ଛୋଟ ସହରକୁ ରାଜ୍ୟ ଭାବରେ ସମ୍ବୋଧିତ କରାଯାଉଥିଲା । ଏହିଠାରେ ହିଁ ରହି ନବବାବୁ, ମାଳତି ଦେବୀ , ଗୋପବନ୍ଧୁ ଚୌଧୁରୀ, ଶାରଙ୍ଗ ଧର ଦାସ ଆଦି ସଂଗ୍ରାମୀମାନେ ଗଡଜାତ ଆନ୍ଦୋଳନର ନେତୃତ୍ଵ ନେଉଥିଲେ । ତ୍ୟାଗ ଓ ସମାଜ ପାଇଁ ଆଜିବି ଉତ୍ସର୍ଗୀକୃତ ଏହି ଅନୁଷ୍ଠାନ ଅନେକ ବାଧା ବିପତ୍ତି ସତ୍ଵେ କେବେବି ନୀତି ଆଦର୍ଶରୁ ବିଚ୍ୟୁତି ହୋଇ ନାହିଁ । ଏସବୁ ପଛରେ ଅଛନ୍ତି ନବବାବୁ ଓ ମାଳତି ଦେବୀଙ୍କ ସୁକନ୍ୟା କ୍ରୀଷ୍ଣା ମହାନ୍ତି । ବାପା-ମାଆଙ୍କ ଦେହାନ୍ତ ପରେ ଏହି ଅନୁଷ୍ଠାନକୁ କେବେବି ପଥଚ୍ୟୁତ ହେବାକୁ ଦେଇ ନାହାନ୍ତି ସେ । ଆପଣାର ପ୍ରଚେଷ୍ଠା ରେ ଏହି ମଣିଷ ଗଢା କାରଖାନାକୁ ସେହି ନୀତି ଓ ଆଦର୍ଶରେ ଚଳାଇ ଆସୁଛନ୍ତି ।
ଏହି ଅନୁଷ୍ଠାନରେ ଆଜି ମଧ୍ୟ ଶିକ୍ଷା ସହ ସୂତାକଟା, ଲୁଗାବୁଣା, ବଢେଇକାମ, କୃଷି, ସଫେଇ ଆଦି ସହ ନୃତ୍ୟ ଓ ସଙ୍ଗୀତ ଆଦି ଶିକ୍ଷା ଦିଆଯାଉଛି । ଓଡିଶାର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଆଦିବାସୀ, ହରିଜନ ପିଲାମାନେ ଏଠାରେ ରହି ମାଗଣାରେ ଶିକ୍ଷା ଗ୍ରହଣ କରୁଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ