ଅନୁଗୋଳ: ଘଡ଼ିଆଳ (Gharial Crocodile) ଭଳି ଏକ ବିରଳ ପ୍ରଜାତିର କୁମ୍ଭୀର ସୁରକ୍ଷା ଏବଂ ସେମାନଙ୍କର ବଂଶ ବୃଦ୍ଧି ପାଇଁ ରାଜ୍ୟ ବନ ବିଭାଗ କିଛି ବର୍ଷ ହେଲା ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ବିଶେଷ କରି ମହାନଦୀ ସାତକୋଶିଆ (Satkosia) ଗଣ୍ଡ ଘଡ଼ିଆଳ ପ୍ରଜନନ (Gharial Crocodile Breeding ) ପାଇଁ ଉପଯୁକ୍ତ ଆବସସ୍ଥଳୀ ହୋଇ ଥିବାରୁ ସେଠାରେ କିଭଳି ଏମାନଙ୍କ ବଂଶ ବୃଦ୍ଧି ହୋଇ ପାରିବ ସେ ଦିଗରେ ଅଧିକରୁ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି । କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ସେମିତି କିଛି ସଫଳତା ମିଳି ପାରି ନାହିଁ । କାରଣ ଏହି ଦୁଇ ବର୍ଷ ଭିତରେ ୪ଟି ପର୍ଯ୍ୟାୟରେ ଗଣ୍ଡରେ ୧୯ଟି ଘଡ଼ିଆଳ ନନ୍ଦନକାନନରୁ ଅଣାଯାଇ ଏଠାରେ ଛଡା ଯାଇଛି । ପ୍ରାୟ ସବୁ ଘଡ଼ିଆଳ ଶରୀରରେ ରେଡ଼ିଓ କଲାର ଲଗାଯାଇଛି । କିନ୍ତୁ ମହାନଦୀ ଗଣ୍ଡରେ ପ୍ରଳୟଙ୍କରୀ ବନ୍ୟା ପରେ ଘଡ଼ିଆଳ ଗୁଡିକର କୌଣସି ପତ୍ତା ମିଳି ପାରୁ ନାହିଁ । ବନ୍ୟା ବେଳେ ସାତକୋଶିଆ କର୍ତ୍ତୃପକ୍ଷ ୧୫ଟି ଘଡ଼ିଆଳକୁ ଉଦ୍ଧାର କରି ରେସକ୍ୟୁ କେନ୍ଦ୍ରରେ ରଖିଥିବା ବେଳେ ବାକି ୪ଟି ଘଡିଆଳ ଗଲେ କୁଆଡେ ସେନେଇ କାହାରି ପାଖରେ ଖବର ନାହିଁ । ଫଳରେ ବନ୍ୟା ଜଳରେ ଘଡିଆଳ ଭାସିଯାଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଏହାଛଡା ଗତ ୨୦୨୧ ମେ ମାସ ୨୭ ତାରିଖରେ ସାତକୋଶିଆ ବଲଦମରା ଠାରେ ଦୀର୍ଘ ୪୦ବର୍ଷ ପରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ। ସେହିପରି ଚଳିତ ବର୍ଷ ମେ ମାସ ୧୦ତାରିଖରେ ମଧ୍ୟ ସାତକୋଶିଆ ଗଣ୍ଡରେ ୩୨ଟି ଛୁଆ ଜନ୍ମ ହୋଇଛନ୍ତି। କିନ୍ତୁ ୨୦୨୧ରେ ଜନ୍ମ ହୋଇଥିବା ଗୋଟିଏ ହେଲେ ଛୁଆ ନଜରକୁ ଆସୁ ନାହାନ୍ତି। କିଛି ଦିନ ପୂର୍ବରୁ ପୁରୀ କେନାଲରୁ ୩ଟି ଘଡ଼ିଆଳ ଛୁଆ ଉଦ୍ଧାର ହୋଇଥିଲେ । ଆଉ ଦୁଇ ତିନିଟି ମୃତ ଅବସ୍ଥାରେ ମିଳିଥିଲେ। ଚଳିତ ବର୍ଷ ଜନ୍ମ ହୋଇଥିବା ୩୨ଟି ଯାକ ଘଡ଼ିଆଳ ଛୁଆ କେଉଁଠି ଅଛନ୍ତି ତାହା ମଧ୍ୟ ଜଣାନଥିବା ବେଳେ ମାଆ ଘଡ଼ିଆଳର ଅବସ୍ଥିତି ମଧ୍ୟ ଜଣା ପଡୁନାହିଁ। ପ୍ରାକୃତିକ ଅବସସ୍ଥଳୀରେ ଜନ୍ମ ହେଉଥିବା ଘଡ଼ିଆଳ ସୁରକ୍ଷିତ ରହିପାରୁନାହାନ୍ତି। ତେଣୁ ଘଡ଼ିଆଳ ବଂଶ ବୃଦ୍ଧି ଏଠାରେ ସମ୍ପୂର୍ଣ ସଫଳ ହୋଇ ପାରୁନାହିଁ। ଏହାର କାରଣ ଖୋଜିବା ଏବେ ଜରୁରୀ ହୋଇ ପଡିଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି।
ଏହା ମଧ୍ୟ ପଢନ୍ତୁ-ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ପୁରୀର ୨ ଶିଳ୍ପୀ, ତାଳପତ୍ରରେ ଆଙ୍କୁଛନ୍ତି ନିଖୁଣ କଳାକୃତି
ସାତକୋଶିଆ ଗଣ୍ଡରେ ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଉଦ୍ୟମ କରାଯାଉଛି । ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦିଆ ଯାଇଥିବା ବେଳେ ଦୁଇ ଜଣ ବରିଷ୍ଠ ବିଶେଷଜ୍ଞଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇଛି। ଏହି ଟିମ ସାତକୋଶିଆ ଗଣ୍ଡର ବିଭିନ୍ନ ଅଞ୍ଚଳରେ ବୁଲି ଘଡ଼ିଆଳ ମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି, ଏବଂ ଏକ ପରାମର୍ଶଦାତା କମିଟି ମଧ୍ୟ ଗଠନ କରା ଯାଇଛି। ଏହି କମିଟି ବିଭିନ୍ନ ସମୟରେ ବନ ବିଭାଗକୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି।
ସାତକୋଶିଆ ଗଣ୍ଡ ଅବବାହିକାରେ ନୟାଗଡ଼, କଟକ, ଆଠମଲ୍ଲିକ, ଆଠଗଡ଼ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରହିଥିବାରୁ ସେହି ସବୁ ବନଖଣ୍ଡର ଡିଏଫଓ ମାନଙ୍କୁ ଘଡ଼ିଆଳ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଅନେକ ସମୟରେ ଗଣ୍ଡ ଭିତରେ ମାଛ ମାରିବା, ଡଙ୍ଗା ଚଳପ୍ରଚଳ କରିବା ଏବଂ ଘଡ଼ିଆଳ ପ୍ରଜନନ ସ୍ଥାନକୁ ଯିବା ଆସିବାରେ କଟକଣା ଲଗାଇବା ଆଦି ଅନେକ ପଦକ୍ଷେପ ନିଆ ଯାଉଛି। ଏତେ କରିବା ପରେ ମଧ୍ୟ କାହିଁକି ଘଡ଼ିଆଳ ସୁରକ୍ଷିତ ରହୁ ନାହାନ୍ତି ଏବଂ ସେମାନଙ୍କ ବଂଶ ବୃଦ୍ଧି ହୋଇ ପାରୁ ନାହିଁ ତାହା ଏବେ ଚିନ୍ତାର କାରଣ ପାଲଟିଛି।
ଏନେଇ ସାତକୋଶିଆ ଫିଲଡ୍ଡ ଡ଼ାଇରେକ୍ଟର ଏମ.ଯୋଗୀ ଜୟନନ୍ଦ କହିଛନ୍ତି ଯେ, ''ବର୍ତ୍ତମାନ ମଧ୍ୟ ସାତକୋଶିଆ ଗଣ୍ଡରେ ବନ୍ୟାଜଳ ପ୍ରବାହିତ ହେଉଛି। ସ୍ରୋତର ପ୍ରଖର ଅଧିକ ରହିଛି, ତେଣୁ ଡଙ୍ଗାରେ ଯାଇ ଘଡ଼ିଆଳ ମାନଙ୍କ ଗତିବିଧି ଦେଖିବା କଷ୍ଟକର ହୋଇ ପଡିଛି। ଗଣ୍ଡରେ ଘଡ଼ିଆଳ ଅଛନ୍ତି କି ନାହିଁ ତାହାର କୌଣସି ସୂଚନା ନାହିଁ। ପାଣି କମିବା ପରେ ଘଡ଼ିଆଳ ମାନଙ୍କ ଅବସ୍ଥିତି ନେଇ ତନାଘନା କରାଯିବ। କିନ୍ତୁ ଉଦ୍ଧାର କରାଯାଇଥିବା ୧୫ଟି ଘଡ଼ିଆଳ ବ୍ୟତୀତ ଅନ୍ୟ ମାନଙ୍କ ଅବସ୍ଥିତି ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ସ୍ପଷ୍ଟ ହୋଇ ଯାଇଛି ।''
ଏନେଇ ବନ୍ୟଜନ୍ତୁ ବିଶେଷଜ୍ଞ କହିଛନ୍ତି ଯେ, ''ଦେଶରେ ଚମ୍ବଲ ଓ ଗଣ୍ଡକ ପରେ ସତକୋଶିଆରେ ହିଁ ଦେଖା ଯାଆନ୍ତି ଘଡ଼ିଆଳ । ଚମ୍ବଲ ଓ ଗଣ୍ଡକରେ ଘଡ଼ିଆଳ ସଂଖ୍ୟା ବୃଦ୍ଧି ପାଉଛି । କିନ୍ତୁ ସାତକୋଶିଆରେ ବହୁ ପଦକ୍ଷେପ ପରେ ମଧ୍ୟ ଏମାନଙ୍କ ସଂଖ୍ୟା ବୃଦ୍ଧି ନପାଇବା ଚିନ୍ତାଜନକ ବିଷୟ ହୋଇଛି । ତେଣୁ ସେଠାକାର ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ହୋଇପଡିଛି ।''
ଇଟିଭି ଭାରତ, ଅନୁଗୋଳ