ଅନୁଗୋଳ: ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଗୋଳ ଜିଲ୍ଲା ପାଇଁ କୋଭିଡ୍-୧୯ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ଶନିବାର ସେ ଅନୁଗୋଳ ଗସ୍ତରେ ଆସି କୋରୋନା ସ୍ଥିତି ସମୀକ୍ଷା କରିଥିଲେ । ଏଥିସହ ଜିଲ୍ଲାରେ ଥିବା ଅସ୍ଥାୟୀ ମେଡିକାଲ ଶିବିର ପରିଦର୍ଶନ ମଧ୍ୟ କରିଥିଲେ ।
ଏହି ଅବସରରେ ବିଷ୍ଣୁପଦ ସେଠୀ ସର୍କିଟ ହାଉସରେ କୋରୋନା ପ୍ରତିରୋଧ ପାଇଁ ଜିଲ୍ଲାରେ କଣ କଣ ବ୍ୟବସ୍ଥା ହାତକୁ ନିଆଯାଇଛି ତାର ସମୀକ୍ଷା ମଧ୍ୟ କରିଥିଲେ । ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜିଲ୍ଲାକୁ ୭ ହଜାର ୧୬୫ ପ୍ରବାସୀ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୬ ହଜାର ୨୪୩ ଜଣ ପ୍ରବାସୀ ସଙ୍ଗରୋଧ ଶେଷ କରି ଗୃହକୁ ପ୍ରତ୍ୟାବର୍ତ୍ତନ କରି ସାରିଛନ୍ତି । ସଙ୍ଗରୋଧ ସଫଳତାର ସହିତ ସମାପ୍ତ କରିଥିବା ୧ ହଜାର ୭୯୧ ଜଣଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିବା ନେଇ ତାଙ୍କୁ ସୂଚନା ଦିଆଯାଇଛି । ଏହା ସହ ତାଳଚେର କୋଭିଡ୍ ହସ୍ପିଟାଲର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ ବିଷ୍ଣୁ ପଦ ସେଠୀ ।
ଏହି ସମୀକ୍ଷାରେ ତାଙ୍କ ସହ ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ