ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଶନିବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଅନୁଗୋଳ ଜିଲ୍ଲାପାଳ ଏକ ପ୍ରେସ ବିବୃତିରେ ଏହାର ସୂଚନା ଦେଇଛନ୍ତି ।


ସୂଚନାମୁତାବକ, ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ବିବୃତିରେ ଏହି ଜଣକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା କୋଡିଏରେ ପହଞ୍ଚିଥିବା କୁହାଯାଇଛି । ଆକ୍ରାନ୍ତ ଜଣକ ଜିଲ୍ଲାର ସଦର ବ୍ଲକ ଅଞ୍ଚଳର ଏକ କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ୨୩ ବର୍ଷୀୟ ଯୁବକ । ସେ ତାମିଲନାଡୁରୁ ଫେରି କ୍ବାରେନଣ୍ଟାଇନରେ ରହିଥିଲେ । ତାଙ୍କ ସ୍ୱାବ ପରୀକ୍ଷା ପରେ ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶନିବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ୪୪୧୫ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ସେଥିମଧ୍ୟରୁ ୩୬୯୯ ଟି ରିପୋର୍ଟ ମିଳିଥିବା ବେଳେ ୨୦ ଜଣଙ୍କ ପଜିଟିଭ ରହିଛି । ଆହୁରି ୭୧୬ ଜଣଙ୍କ ରିପୋର୍ଟ ଆସିବାକୁ ବାକି ରହିଛି ।
ଶୁକ୍ରବାର ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ ଆକ୍ଟିଭ ଆକ୍ରାନ୍ତ 5 ଜଣ ରହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ