ଅନୁଗୋଳ: ସମଗ୍ର ପଶ୍ଚିମ ଓଡିଶାରେ ନୂଆଁଖାଇ ପର୍ବ ବେଶ ଧୂମଧାମରେ ପାଳନ କରାଯାଉଛି । ଇଷ୍ଟଦେବାଦେବୀଙ୍କ ନିକଟରେ ଭୋଗ ଲାଗି କରିବା ପରେ ସମସ୍ତେ ନିଜ ନିଜ ପରିବାର ସହ ନବାନ୍ନ ଖାଉଛନ୍ତି । ଏହି ପର୍ବ ପାଳନରୁ ବାଦ୍ ପଡିନାହିଁ ଅନୁଗୋଳ ଜିଲ୍ଲା । ଅଙ୍ଗାର ବନ୍ଧରେ ଥିବା ମହିମା ଧାମରେ ନୂଆଁଖାଇ ପର୍ବ ପାଳନ ହୋଇଛି ।
ମହିମା ଧର୍ମୀ ନିଜର ଇଷ୍ଟଦେବତା ମହିମା ଗୋସାଇଁଙ୍କ ନିକଟରେ ନବାନ୍ନ ଲାଗି କରିଛନ୍ତି । ଅମଳ କରିଥିବା ପ୍ରଥମ ଧାନରୁ ପ୍ରସ୍ତୁତ ଚୂଡା ସହ ଘିଅ, ମହୁ, ଛେନା ଆଦି ମହିମା ଗୋସାଇଁଙ୍କ ଠାରେ ଅର୍ପଣ କରାଯାଇଛି । ଏଥିପାଇଁ ଅଙ୍ଗାର ବନ୍ଧ ମହିମା ପୀଠରେ ସ୍ଵତନ୍ତ୍ର ଉତ୍ସବର ଆୟୋଜନ ହୋଇଛି । ଉତ୍ସବ ବେଳେ ଭଜନ କୀର୍ତ୍ତନରେ କମ୍ପି ଉଠିଥିଲା ମହିମା ଧାମ ଅଙ୍ଗାର ବନ୍ଧ । ମହିମା ଧର୍ମର ଅନେକ ଶ୍ରଦ୍ଧାଳୁ, ମହିମାଧର୍ମୀ ଓ ସ୍ଥାନୀୟ ଲୋକେ ଏହି ନୂଆଁଖାଇ ପର୍ବରେ ସାମିଲ ହୋଇଥିଲେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ