ଦୁବାଇ: ଚଳିତ ଟି-20 ବିଶ୍ବକପରେ ଆଜି(ଶୁକ୍ରବାର) ସୁପର-୧୨ରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହେବ ମୁକାବିଲା । ପାକିସ୍ତାନ ଭାରତ ଓ ନ୍ୟୁଜଲାଣ୍ଡ ବିପକ୍ଷରେ ତାର ଦୁଇଟି ଯାକ ମ୍ୟାଚରେ ବିଜୟ ହାସଲ କରି ଦୃଢ ସ୍ଥିତିରେ ରହିଛି । ଅନ୍ୟପକ୍ଷେ ଆଫଗାନିସ୍ତାନ ସ୍କଟଲାଣ୍ଡ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚରେ ଆଫଗାନିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା । ବାବର ବାହିନୀ ବି ଦମଦାର ପ୍ରଦର୍ଶନ କରି ଟ୍ରଫି ଦାବିଦାର ଭାରତ ଓ ନ୍ୟୁଜଲାଣ୍ଡରୁ ମାତ ଦେଇଥିଲା । ଦୁଇ ଦେଶ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିବ ।
ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଆଜିର ମ୍ୟାଚରେ ଆଫଗାନିସ୍ତାନକୁ ହାଲକା ଭାବରେ ନେବ ନାହିଁ । ସ୍କଟଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନମାନେ ଯେଉଁ ଭଳି ବିସ୍ଫୋରକ ବ୍ୟାଟିଂ କରିଥିଲେ ଯାହାକୁ ନେଇ ପାକିସ୍ତାନ ଫୁଲ ପ୍ରସ୍ତୁତ ରହିଛି । ହଜରାତୁଲ୍ଲା ଜଜାଇ, ରହମାନୁଲ୍ଲା ଗୁର୍ବାଜ ଓ ନଜିବୁଲ୍ଲା ଜଦ୍ରାନଙ୍କ ଭଳି ବିସ୍ଫୋରକ ବ୍ୟାଟର ଏବଂ ରସିଦ ଖାନ ଓ ମୁଜୀବ ଉରଙ୍କ ଭଳି ସ୍ପିନରଙ୍କୁ ନେଇ ଆଫଗାନିସ୍ତାନ ଦଳ ସନ୍ତୁଳିତ ରହିଛି । ଆଜି ଶ୍ରେଷ୍ଠ ପ୍ରଦର୍ଶନ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଆଫଗାନିସ୍ତାନ ।
ଅନ୍ୟପକ୍ଷରେ ପାକିସ୍ତାନର ୩ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦି, ହାସନ ଅଲୀ ଓ ହାରିସ ରଫୌ ଫୁଲ ଫର୍ମରେ ରହିଛନ୍ତି । ଏହି ତିନି ମୂର୍ତ୍ତୀ ଆଜି ଆଫଗାନିସ୍ତାନକୁ ଅଟକାଇବାକୁ ଚେଷ୍ଟା କରିବ । ଆଫଗାନିସ୍ତାନ ଉପରେ ଭାରି ପଡିପାରନ୍ତି ପାକିସ୍ତାନ ଟିମ । ଆଜି ଯଦି ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ସଫଳ ହୁଅନ୍ତି ତେବେ ଆଫଗାନିସ୍ତାନ ଉପରେ ଚାପ ରହିବ । ଆଜିର ମ୍ୟାଚକୁ ଜିତିବାକୁ ପ୍ରୟାସ କରିବ ପାକିସ୍ତାନ ।
ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ