କଟକ: ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ହେବ ୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା । ନବ ଜାଗରଣ, କେଶବ ଫାଉଣ୍ଡେସନ ଓ ରାଜ୍ୟ ସଙ୍ଘର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ମେଗା ପ୍ରତିଯୋଗିତା ଅନୁଷ୍ଠିତ ହେବ । ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୨୫୦ ବାଳକ ଓ ୧୫୦ ବାଳିକା ଏଥିରେ ଭାଗନେବେ ।
ଏନେଇ ଆଜି(ରବିବାର) ବାରବାଟି ଷ୍ଟାଡିୟମସ୍ଥିତ ଓଡ଼ିଶା ବାସ୍କେଟବଲ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବାସ୍କେଟବଲ୍ ସଂଘ ସମ୍ପାଦକ ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି । ବିଶେଷ କରି ରାଜ୍ୟରେ ଅଧିକରୁ ଅଧିକ ଯୁବ ଖେଳାଳୀ ସୃଷ୍ଟି ଲକ୍ଷ୍ୟ ରଖି ଏହି ଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି । ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କି ଅମୃତ ମହୋତ୍ସବ ଅବସରରେ ଚଳିତ ବର୍ଷ ଏହି ପ୍ରତି ଯୋଗିତାର ଆୟୋଜନ କରାଯାଇଛି ।
ଅଶୋକ କୁମାର ସାହୁ କହିଛନ୍ତି ଯେ, "ଚଳିତ ବର୍ଷ ରାଜ୍ୟର ୪୦ଟି ଯୁବ ଦଳ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯୋଜନା ରହିଛି । ଯେଉଁମାନେ ଏହି ପ୍ରତିଯୋଗିତାରେ ଉତ୍ତମ ଖେଳ ପଦର୍ଶନ କରିବେ ସେମାନଙ୍କୁ ଜାତୀୟ ସ୍ତରୀୟ ମ୍ୟାଚ ପାଇଁ ଚୟନ କରାଯିବ । ବିଜୟୀ ପ୍ରତିଯୋଗୀଙ୍କୁ ଟ୍ରଫି ସହିତ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ଏହି ପ୍ରତିଯୋଗିତା ଅବସରରେ ରାଜ୍ୟ ଦଳ ପାଇଁ ଖେଳାଳୀ ଚୟନ ପରେ ସେମାନଙ୍କୁ ଅଭିଜ୍ଞ କୋଚ୍ଙ୍କ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।"
ଇଟିଭି ଭାରତ, କଟକ