କେନ୍ଦ୍ରାପଡା: ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ । ଆୟୋଜିତ ହୋଇଯାଇଛି ଜିଲ୍ଲାସ୍ତରୀୟ ପାରା ସ୍ପୋର୍ଟ୍ସ ମିଟ୍ । ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ଖେଳାପଡିଆରେ ଦିବ୍ୟାଙ୍ଗଙ୍କ ପାଇଁ ଜିଲ୍ଲାସ୍ତରୀୟ ପାରା ସ୍ପୋର୍ଟସ ମିଟ୍ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ଦିବ୍ୟାଙ୍ଗ କମିଶନର ସୁଲୋଚନା ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଭରି ରହିଥିବା ଗୁଣ ଓ କ୍ରୀଡାନିପୁଣତାକୁ ପରିପ୍ରକାଶ କରିବାର ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଛନ୍ତି କମିଶନର ।
ଜିଲ୍ଲାର 9ଟି ବ୍ଳକରେ ଥିବା ସମସ୍ତ ବିଦ୍ୟାଳୟରେ ମୋଟ 350ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ 100 ଓ 200 ଦୌଡ, ହାଇଜମ୍ପ, ଲଙ୍ଗଜମ୍ପ, ତିନିଚକିଆ ସାଇକେଲ ରେସ, ସଙ୍ଗୀତ, ବକ୍ତୃତା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାସ୍ତରରୁ ଚୟନ କରାଯାଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ।
ଆମେ ସମର୍ଥ, ଆମେ ଭବିଷ୍ୟତ ସ୍ଲୋଗାନ ଦେଇ ପାରା ସ୍ପୋର୍ଟସ ମିଟରେ ଭାଗ ନେଇଥିଲେ ଛାତ୍ରଛାତ୍ରୀ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ