ନୂଆଦିଲ୍ଲୀ: ଭାରତ ପକ୍ଷରୁ ୯ ଜଣ ମୁଷ୍ଟିଯୋଦ୍ଧା ଚଳିତ Tokyo Olympic ରେ ଭାଗନେବେ । ତେବେ ଏହି ୯ ଜଣଙ୍କ ଉପରେ ପଦକ ପାଇଁ ଆଶା ଆଉ ଆସ୍ଥା ରଖିଛନ୍ତି ସମଗ୍ର ଭାରତବାସୀ । ଭାରତରୁ ୫ ଜଣ ପୁରୁଷ ଓ ୪ ଜଣ ଷ୍ଟାର ବକ୍ସର ବା ଯୋଦ୍ଧା ଅଲମ୍ପିକରେ ଏଥର ଦେଖାଇବେ ଦମ । ତେବେ ଆସନ୍ତୁ ଜାଣିବା ଏହି ନବ ରତ୍ନଙ୍କ ବିଷୟରେ ।
ପୁରୁଷ ମୁଷ୍ଟିଯୋଦ୍ଧା
ଅମିତ ପଙ୍ଘାଲ (୫୨ କିଗ୍ରା)
ଏହି ଫ୍ଲାଇଂୱେଟ ସେହି ଆଶାକୁ ସାକାର କରୁଛନ୍ତି ଯାହା ଅନେକ ସମୟରେ ସୁପର ହେଭିୱେଟଙ୍କୁ ବି ତଳେ ପକାଇଦେବାର ସାମର୍ଥ୍ୟ ରଖେ । ବିଶ୍ବର ଏକ ନମ୍ବର, ଟପ ସିଡ଼ ପଙ୍ଘାଲଙ୍କୁ ଟୋକିଓ ଅଲମ୍ପିକରେ ନିଶ୍ଚିତ ପଦକ ବିଜେତା ଭାବରେ ଦେଖାଯାଉଛି । ସେ ଏହା ଜାଣନ୍ତି ତେଣୁ ସେ ସ୍ପଷ୍ଟଲାଇଟରେ ରହିଛନ୍ତି ।
ହରିୟାଣାର ଏହି ଆର୍ମିମ୍ୟାନ ନିୟନ୍ତ୍ରିତ ଆକ୍ରାମକତା ଓ ଉନ୍ନତ କୌଶଳର ମିଶ୍ରଣ ଅଟନ୍ତି । ପଙ୍ଘାଲଙ୍କ ପାଖରେ ଏପର୍ଯ୍ୟନ୍ତ ରହିଛି ବିଶ୍ବ ଚାମ୍ପିୟନଶିପ ଓ କମନୱେଲଥ ଗେମ୍ସର ରୌପ୍ୟ ପଦକ, ଏହାସହ ଏସିଆନ ଗେମ୍ସର ସ୍ବର୍ଣ୍ଣ ପଦକ ଓ ଏସିଆନ ଚାମ୍ପିୟନଶିପର ଅନେକ ଗୁଡ଼ିଏ ପଦକ ।
ନିଜର ପ୍ରଥମ ଅଲମ୍ପିକ ଖେଳୁଥିବା ୨୫ ବର୍ଷୀୟ ପଙ୍ଘାଲ ଗତ ଚାରିବର୍ଷ ଧରି ଅବିଶ୍ରାନ୍ତ ରହିଛନ୍ତି । ୨୦୧୭ ଏସିଆନ ଚାମ୍ପିୟନଶିପରେ ପ୍ରଥମ କରି କାଂଶ୍ୟ ପଦକ ଜିତିଥିଲେ ଅମିତ । ଫାଇନାଲରେ ପହଞ୍ଚିନଥିଲେ ମଧ୍ୟ ପରାଜିତ ହୋଇଥିବା ଭଳି ଲାଗୁନଥିଲେ ଅମିତ । କିନ୍ତୁ ସେ ନିଜର ଦୁର୍ବଳତା ସେ ଜାଣିପାରିଥିଲେ । ବିଳମ୍ବରେ ଆରମ୍ଭ କରିଥିବା ପଙ୍ଘାଲ କହନ୍ତି ଯେ ଅଲମ୍ପିକ ପଦକ ଜିତିବା ପାଇଁ ସେ ନିଜର ସମସ୍ତ ତୃଟିକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ।
ମନିଷ କୌଶିକ (୬୩ କିଗ୍ରା)
ମନିଷ ମଧ୍ୟ ଜଣେ ୨୫ ବର୍ଷୀୟ ଡେବ୍ୟୁଟାଣ୍ଟ ଓ ଆର୍ମିମ୍ୟାନ ମଧ୍ୟ । କୌଶିକ ଜଣେ କଳା ଘୋଡ଼ା । ସେ ସ୍ପଟଲାଇଟରେ ରହିବା ଭଳି ଖେଳାଳି ନୁହନ୍ତି କିନ୍ତୁ ଆପଣ ଏହା ଜାଣିବା ପୂର୍ବରୁ ସେ ପଦକ ଜିତିଯାଇପାରନ୍ତି । ଏମିତି କିଛି ଘଟଣା ଘଟିଥିଲା ୨୦୧୮ କମନୱେଲଥ ଗେମ୍ସରେ ଓ ୨୦୧୯ ବିଶ୍ବ ଚାମ୍ପିୟନଶିପରେ ।
ଭିୱାନୀ ଦେବସାର ଗାଁର ଜଣେ ଚାଷୀଙ୍କ ଶାନ୍ତ ସ୍ବଭାବର ପୁଅ କୌଶିକ ସେବେଠାରୁ ହିଁ ଅଲମ୍ପିକ ପଦକର ଆଶା ମନରେ ସାଇତିଛନ୍ତି ଯେବେଠାରୁ ସେ ୨୦୦୮ ବେଜିଙ୍ଗ ଅଲମ୍ପିକରେ ବିଜେନ୍ଦର ସିଂହଙ୍କୁ କାଂଶ୍ୟ ପଦକ ଜିତିବାର ଦେଖିଥିଲ ।
ଗତବର୍ଷ ଏସିଆନ ଅଲମ୍ପିକ କ୍ବାଲିଫାୟର୍ସ ପାଇଁ ଜୋରଡାନରେ ଥିବା ବେଳେ ବାଇସେପରେ ଆଘାତ ଯୋଗୁଁ ସେ ପ୍ରାୟ ୧୦ ମାସ ପର୍ଯ୍ୟନ୍ତ ଖେଳିପାରିନଥିଲେ । ଅଲମ୍ପିକ ସ୍ଥଗିତ ହେବା ଏହି ବକ୍ସରଙ୍କ ପାଇଁ ଏକ ବରଦାନ ସଦୃଶ ଥିଲା, ଯାହାଦ୍ବାରା ସେ ନିଜର ପଞ୍ଚ୍କୁ ଅଧିକ ପ୍ରଭାବଶାଳୀ କରିବା ସହ ନିଜ ଷ୍ଟାମିନା ମଧ୍ୟ ବଢ଼ାଇଛନ୍ତି ।
ତେବେ କୋଭିଡରେ ଆକ୍ରାନ୍ତ ହୋଇ ସେ ଚଳିତ ବର୍ଷ ଆରମ୍ଭରେ ହୋଇଥିବା ଏସିଆନ ଚାମ୍ପିୟନଶିପରେ ଭାଗ ନେଇ ପାରିନଥିଲେ କିନ୍ତୁ ସେ ସୁସ୍ଥ ହୋଇ ଅଲମ୍ପିକ ପଦକ ପାଇଁ ଜଣେ ଶ୍ରେଷ୍ଠ ଆଶାୟୀ ନହେଲେ ବି ଜଣେ ଦୃଢ଼ ଆଶାୟୀ ନିଶ୍ଚୟ ।
ବିକାଶ କ୍ରିଷନ (୬୯ କିଗ୍ରା)
ଏ ହେଉଛନ୍ତି ଭାରତୀୟ ବକ୍ସିଂର ଭେଟେରାନ । ଦୁଇଟି ଅଲମ୍ପିକ ଖେଳିଥିବା ଅଲମ୍ପିଆନ । ଏପର୍ଯ୍ୟନ୍ତ ଭାତରେ ଥିବା ସବୁଛାରୁ ସଜ୍ଜିତ ମୁଷ୍ଟିଯୋଦ୍ଧା ମାନଙ୍କ ମଧ୍ୟରୁ ଜଣେ । ଅଭିଜ୍ଞତା ଥିବା ଏମିତି ଜଣେ ଖେଳାଳି ଯିଏକି ନୂଆ କରି ବକ୍ସିଂ କରୁଥିବା ଖେଳାଳିଙ୍କୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ସେନେଇ ଏକ ସମ୍ପୂର୍ଣ୍ଣ ଚିଠା ଦେଇ ପାରିବେ ।
ଆଉ ଜଣେ ହରିୟାଣା ଯୋଦ୍ଧା କ୍ରିଷାନ ଯିଏ ମୁଷ୍ଟିଯୁଦ୍ଧରେ କୌଶଳ କଣେ ଜଣାଇ ଦିଅନ୍ତି । ସେ ପ୍ରତିଟି ମୁଭ୍ରେ ଯୋଜନା କରନ୍ତି ଆଉ ଅନେକ ସମୟରେ ସେ ଏହାକୁ ଖୁବ ସହଜରେ କାର୍ଯ୍ୟକାରୀ କରି ନିଅନ୍ତି । ନିଜ ପ୍ରାରମ୍ଭିକ ଦିନର ଅସଫଳତାକୁ ଛାଡ଼ିଦେଲେ କ୍ରିଷନ ଜଣେ ଅଭୁତପୂର୍ବ ଯୋଦ୍ଧା ଭାବେ ଉଭା ହୋଇଛନ୍ତି ।
29 ବର୍ଷୀୟ ବିକାଶ ନିଜର ତୃତୀୟ ତଥା ଅନ୍ତିମ ଅଲମ୍ପିକ ଖେଳିବେ ଏବଂ ସେ ପ୍ରତିଥର ଭଳି ପ୍ରସ୍ତୁତ କରି ନେଇଛନ୍ତି ନିଜ ପାଇଁ ଯୋଜନା ।
ଏହି ସ୍ଥାନରେ ପହଞ୍ଚିବା ପାଇଁ କ୍ରିଷନ କରିଛନ୍ତି ଅନେକ ତ୍ୟାଗ, କିଛି ଛୋଟ ଓ କିଛି ବଡ଼ । ବଡ଼ ତ୍ୟାଗଟି ହେଉଛି ନିଜ ଛୋଟ ଛୋଟ ଛୁଆଙ୍କୁ ଛାଡ଼ି ଗୋଟିଏ ବର୍ଷ ଧରି ଦୂରରେ ରହିବା । ବିକାଶ ତାଙ୍କ ଛୁଆଙ୍କୁ କେବଳ ଫଟୋରେ ବଡ଼ ହେଉଥିବାର ଦଖୁଛନ୍ତି ।
ଆଶିଷ କୁମାର (୭୫ କିଗ୍ରା)
ହିମାଚଳ ପ୍ରଦେଶର ସୁନ୍ଦର ନଗରର ଏହି ଯୋଦ୍ଧା ଗତବର୍ଷ ତାଙ୍କ ପିତାଙ୍କୁ ହରାଇବାର ଗୋଟିଏ ମାସ ପରେ ହିଁ ଟୋକିଓ ଟିକଟ ଅର୍ଜନ କରିଥିଲେ । 26 ବର୍ଷୀୟ ଏକ ଓଜନ ବର୍ଗରେ କ୍ରମାଗତ ଅଗ୍ରଗତି କରୁଛନ୍ତି ଯାହାକି ବିଜେନ୍ଦର ସିଂ କରିଥିଲେ ଓ ଏକାଧିକ ଥର ଇତିହାସ ରଚିଥିଲେ ।
ଆଶିଷଙ୍କ ଅଲିମ୍ପିକ୍ ଯାତ୍ରା ସହଜ ନଥିଲା । ଯିଏ ତାଙ୍କୁ ସେହି ସ୍ଥାନରେ ଦେଖିବାକୁ ଚାହୁଁଥିଲେ ସେ ତାଙ୍କୁ ହିଁ ସେହି ସ୍ଥାନରେ ପହଁଞ୍ଚିବାର ଗୋଟିଏ ମାସ ପୂର୍ବରୁ ହରାଇଲେ। କେବଳ ସେତିକି ନୁହେଁ ସ୍ପେନରେ ଟୁର୍ଣ୍ଣାମେଣ୍ଟ ଖେଳିବା ବେଳେ ଚଳିତ ବର୍ଷ ସେ କୋଭିଡରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ତେବେ ତାଙ୍କ ଆଥଲେଟ ଶରୀର କୌଣସି ଲକ୍ଷଣ ଦେଖାଇନଥିଲା ।
ସମ୍ପ୍ରତି ଏସିଆ ଚାମ୍ପିୟନଶିପ୍ରେ ଆଶିଷଙ୍କ ପ୍ରଦର୍ଶନ ଟିକେ ଭିନ୍ନ ନଜର ଆସୁଥିଲେ, ଯେଉଁଠାରେ ସେ କାଂଶ୍ୟ ପଦକ ଜିତିଥିଲେ । କିନ୍ତୁ ସେ ରିଙ୍ଗ ବାହାରେ ଯେପରି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିଥିଲେ ତାହା ଅତୁଳନୀୟ ।
ସତିଶ କୁମାର (+୯୧ କିଗ୍ରା)
ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରଥମ ସୁପର ହେଭିୱେଟ୍ କିନ୍ତୁ ଯାହାଙ୍କ ବିଷୟରେ ଅଧିକ ଚର୍ଚ୍ଚା ହୁଏ ନାହିଁ । ପାଞ୍ଚ ଜଣିଆ ପୁରୁଷ ଦଳର ସର୍ବ ପୁରାତନ ଯୋଦ୍ଧା ହେଉଛନ୍ତି ୩୨ ବର୍ଷୀୟ ସତିଶ, କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ଜଣେ ଅଲିମ୍ପିକ୍ ଡେବ୍ୟୁଟାଣ୍ଟ ।
ଉତ୍ତରପ୍ରଦେଶର ବୁଲନ୍ଦଶହରର ଜଣେ କୃଷକଙ୍କ ପୁଅ ସତୀଶ ଏସିଆନ୍ ଗେମ୍ସ ସହ କମନୱେଲଥରେ ପଦକ ବିଜେତା ହୋଇଛନ୍ତି ।
“ହମାରା ନାମ୍ କଭି ଅଖବାର୍ ମେଁ ଆତା ନହିଁ, ବାଉଟ ହି ଇତନେ ଲେଟ ହୋତେ ହେଁ ହମାରେ । ମେରୀ ବିୱି କୋ ସନ୍ଦେହ ହୋତା ହୈ କଭି କଭି କେ ମୈ ବକ୍ସର ହୁଁ ଭି ୟା ନହିଁ (ମୋ ନାଁ ଏତେଟା ଖବର କାଗଜରେ ଆସେ ନାହିଁ, ତେଣୁ ବେଳେ ବେଳେ ମୋ ପତ୍ନୀ ସନ୍ଦେହ କରନ୍ତି ଯେ ସତରେ ମୁଁ ମୁଷ୍ଟିଯୋଦ୍ଧା କି ନୁହେଁ)’’ ବୋଲି ଥରେ ଏକ ସାକ୍ଷାତକାରରେ କହିଥିଲେ ସତିଶ ।
ଅଲିମ୍ପିକ୍ସ ପାଇଁ ସେ ଏକ ଗୁପ୍ତ ରଣନୀତି ଉପରେ କାର୍ଯ୍ୟ କରିଥିବା କହିଛନ୍ତି ।
ମହିଳା ମୁଷ୍ଟିଯୋଦ୍ଧା
ଏମସି ମେରୀ କମ୍ (୫୧ କିଗ୍ରା)
ଭାରତୀୟ ବକ୍ସିଂରେ ଯଦି କୌଣସି ଏକ ନାମ ଅଛି ଯାହାର କୌଣସି ପରିଚୟ ଆବଶ୍ୟକ ନାହିଁ, ତାହା ହେଉଛି ମେରି କମ୍ । 38 ବର୍ଷୀୟ ଆଇକନ୍ ଦ୍ବିତୀୟ ଅଲିମ୍ପିକ୍ ପଦକ ଉପରେ ଚଳିତ ଥର ନଜର ରଖିବେ, ଯାହାକି ଭାରତୀୟ ଦଳରେ ତାଙ୍କ ମଥା ଏବଂ କାନ୍ଧକୁ ଅନ୍ୟ ସମସ୍ତଙ୍କ ଅପେକ୍ଷା ଉଚ୍ଚରେ ରଖିଛି ।
6ଥର ବିଶ୍ବ ଚାମ୍ପିଅନ୍ ମେରୀଙ୍କର ସଫଳତା ଏବଂ ପଦକ ଗଣବା କଷ୍ଟସାଧ୍ୟ ବ୍ୟାପାର । ଆଉ ଆଶ୍ଚର୍ଯ୍ୟଜନକ କଥା ଯେ ଏତେ ସବୁ ବିଜୟ ପରେ ମଧ୍ୟ ମେରୀ ଥକି ଯାଇ ନାହାନ୍ତି କି ଅଟକି ନାହାନ୍ତି ।
ବକ୍ସିଙ୍ଗ ରିଙ୍ଗ ହେଉଛି ତାଙ୍କ ଖେଳ ପଡ଼ିଆ ଆଉ ଗତ ୨ ଦଶନ୍ଧି ଧରି ସେ ଏଥିରେ ଚମତ୍କାର କରି ଚାଲିଛନ୍ତି ।
ଖେଳଗୁଡିକରେ ତାଙ୍କୁ ଅପେକ୍ଷା କରିଥିବା ଛୋଟ ପ୍ରତିଯୋଗିତାକୁ ସେ କିପରି ପରିଚାଳନା କରନ୍ତି ତାହା ଦେଖିବାକୁ ବାକି ରହିଲା । ସେ ଭାରତୀୟ କଣ୍ଟିଜେଣ୍ଟର ଦୁଇଜଣ ପତାକା ଉତ୍ତୋଳନକାରୀଙ୍କ ମଧ୍ୟରୁ ଜଣେ ଅଟନ୍ତି, ଏହାସହ ସେ ସ୍ପଷ୍ଟ କରିଦେଇଛନ୍ତି ଯେ ତାଙ୍କୁ କେହି ହାଲୁକା ଭାବେ ଗ୍ରହଣ ନକରନ୍ତୁ ।
ସିମରନଜିତ କୌର (୬୦ କିଗ୍ରା)
ଲୁଧିଆନା ପଞ୍ଜାବର ଚାକର୍ ଗ୍ରାମରୁ ଆସିଥିବା ପ୍ରତିଭାର ଏକ ପାୱାରହାଉସ୍, 26 ବର୍ଷୀୟା ସିମରନଜିତ ନିଜର ପ୍ରଥମ ବିଶ୍ବ ଚାମ୍ପିଅନସିପ୍ ପଦକ ପାଇବାର ଚାରି ମାସ ପୂର୍ବରୁ 2018 ରେ ନିଜ ପିତାଙ୍କୁ ହରାଇଥିଲେ ।
ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ତାଙ୍କ ପିତା । କୌର ମଧ୍ୟ ରିଙ୍ଗ ବାହାରେ ଏକ ପ୍ରକାର ଯୁଦ୍ଧ କରିଥିଲେ ଯେତେବେଳେ ସେ ଚାକିରୀ ପାଇଁ ପଞ୍ଜାବ ସରକାରଙ୍କ ଦ୍ବାରସ୍ତ ହୋଇଥିଲେ ଏବଂ ଏହାମଧ୍ୟ ନିଶ୍ଚିତ କରିଥିଲେ ଯେ ତାଙ୍କ କ୍ରୀଡ଼ାର ଅଭିଳାସ ତାଙ୍କ ମା ଓ ତାଙ୍କ ଦୁଇ ସାନଭାଇଙ୍କୁ ସହଯାଗ କରିବାରେ ବାଧକ ନହେଉ ।
ରାଜ୍ୟ ସରକାରଙ୍କ ଠାରୁ ଅସଂଖ୍ୟ ପ୍ରତିଶୃତି ସତ୍ତ୍ବେ ସେ ଏପର୍ଯ୍ୟନ୍ତ ଚାକିରି ପାଇନାହାଁନ୍ତି । ଆକ୍ରାମକତା ଏହି ଯୋଦ୍ଧାଙ୍କର ବଡ଼ ଶକ୍ତି ଓ ତାଙ୍କ ପଞ୍ଚର ପାୱାର ମଧ୍ୟ ସଭିଙ୍କ ଠାରୁ ଭିନ୍ନ । ତେବେ ନିଜ ପ୍ରିଦ୍ବନ୍ଦ୍ବୀହ୍କ ସହ ଖେଳିବା ବେଳେ ସେ ଟିକେ ସତର୍କ ରହି ଖେଳିବେ ବୋଲି କହିଛନ୍ତି ।
ସେ ମେ ମାସରେ COVID-19ରେ ଆକ୍ରାନ୍ତ ହୋଇ ଗୁରୁତର ଥିଲେ ।
ଲଭଲିନା ବର୍ଗୋହେନ (୬୯ କିଗ୍ରା)
ଟୋକିଓ ଟିକେଟ ପାଇଥିବା ଭାରତୀୟ ମହିଳା ବକ୍ସିଂ ଦଳର ସର୍ବକନିଷ୍ଠ, ଲୋ ପ୍ରୋଫାଇଲ କିନ୍ତୁ ଉଚ୍ଚ ପ୍ରଦର୍ଶନକାରୀ ଜଣେ ଯୋଦ୍ଧା ହେଉଛନ୍ତି ଲଭଲିନା । ୨୩ ବର୍ଷୀୟା ଏହି ମୁଷ୍ଟିଯୋଦ୍ଧା କିକ୍ବକ୍ସର ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ, କିନ୍ତୁ ପରେ ସ୍କୁଲରେ ବକ୍ସିଂକୁ ସେ ଆପଣେଇ ନେଇଥିଲେ, ଯାହାପରେ ସେ ଦୁଇ ଦୁଇଟି ବିଶ୍ବ ଚାମ୍ପିୟନଶିପ ମେଡାଲ ମଧ୍ୟ ଜିତିଛନ୍ତି।
ଏହି ଖେଳରେ ତାଙ୍କର ପ୍ରସ୍ତୁତି ମଧ୍ୟ ଖୁବ୍ ଶକ୍ତ ଥିଲା । କିନ୍ତୁ ଗତବର୍ଷ ଇଟାଲିରେ ହେବାକୁ ଥିବା ଅଭ୍ୟାସ ଶିବିରକୁ ଯିବାର ଦିନକ ପୂର୍ବରୁ ହିଁ ସେ କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ । ଯାହାଦ୍ବାରା ସେ ଏହି ଗୁରୁତ୍ବପୂର୍ଣ୍ଣ ଅଭ୍ୟାସ ଶିବିରରୁ ବାଦ୍ ପଡ଼ିଥିଲେ।
ତେବେ ଜଣେ ଟେକ୍ନିକାଲ ବକ୍ସର ଭାବେ ସେ କିପରି ଟୋକିଓ ଅଲମ୍ପିକରେ ପ୍ରଦର୍ଶନ କରୁଛନ୍ତି ତାହା ଦଖିବା ଗୁରୁତ୍ବପୂର୍ଣ୍ଣ ହେବ ।
ପୂଜା ରାନୀ (୭୫ କିଗ୍ରା)
ଜଣେ ଅନୁଭବୀ ଯୋଦ୍ଧା, ଯିଏକି ନିଜ କ୍ୟାରିଅର ଆରମ୍ଭରେ ବକ୍ସିଂ ଗ୍ଲୋଭ୍ସ ପିନ୍ଧିବା ପାଇଁ ମଧ୍ୟ କୁଣ୍ଠାବୋଧ କରୁଥିଲେ କାରଣ ଜଣେ ‘ଝିଅ ଉପରେ ଏହା ଭଲ ଦେଖାଯାଉନଥିଲା’ ବୋଲି ସେ ଭାବୁଥିଲେ । କିନ୍ତୁ ତାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୩୦ ବର୍ଷୀୟ ରାନୀ ଏହାପରେ ଜଣେ ଅଲମ୍ପିଆନ ହେବା ପାଇଁ ଅନେକ ଲମ୍ବା ପଥ ଅତିକ୍ରମ କରିଛନ୍ତି ।
ଭିବାନୀର ଦୃଢ଼ ମୁଷ୍ଟିଯୁଦ୍ଧ ସଂସ୍କୃତିରୁ ଜନ୍ମ ନେଇଥିବା ପୂଜା ନିଜ ଖେଳର ଆଗ୍ରହକୁ ନିଜ ପିତାଙ୍କ ଠାରୁ ଲୁଚାଇ ରଖିଥିଲେ । କାରଣ ଥିଲା କାଳେ ପିତା ତାଙ୍କୁ ଖେଳିବାକୁ ବାରଣ କରିବେ । ଏପରିକି ଅନେକ ସମୟରେ ଆଘାତ ଲୁଚାଇବାକୁ ଯାଇ ସେ ନିଜ ବନ୍ଧୁଙ୍କ ଘରେ ରହୁଥିଲେ ।
ତାଙ୍କର ବକ୍ସିଂ ଯାତ୍ରା କଦାଚିତ ସହଜ ନଥିଲା । ତାଙ୍କର ବାଧା ଆରମ୍ଭ ହେଲା ଯେତେବେଳେ ୨୦୧୬ ଦିପାବଳୀ ବେଳେ ତାଙ୍କର ହାତ ପୋଡ଼ି ଯାଇଥିଲା, ଏହାପରେ ତାଙ୍କ କ୍ୟାରିଅର ପ୍ରତି ଆଞ୍ଚ ଆଣିଥିଲା ୨୦୧୭ରେ ଲାଗିଥିବା କାନ୍ଧର ଆଘାତ ।
ସେତିକିବେଳେ ପୂଜା ନିଜ ଉପରୁ ବିଶ୍ବାସ ହରାଇସାରିଥିଲେ କିନ୍ତୁ ସମ୍ପୂର୍ଣ୍ଣ ଭାବେ ନୂହେଁ । ବିନା କୌଣସି ପ୍ରାୟୋଜକରେ ସେ ଏକାକୀ ଲଢ଼ିଲେ ନିଜ କ୍ୟାରିଅର ବଞ୍ଚାଇବା ପାଇଁ ଏବଂ ତାଙ୍କ ଦୃଢ ମନୋବଳ ଶେଷରେ ତାଙ୍କୁ ସୁଫଳ ଦେଲା । ସେ ବର୍ତ୍ତମାନ ଟୋକିଓ ଟିକେଟର ଅଧିକାରୀ, ଯେଉଁଠାରେ ତାଙ୍କର ସେହି ମନୋବଳ ତାଙ୍କୁ ଶୀର୍ଷରେ ପହଁଞ୍ଚିବାକୁ ସହାୟକ ହେବ ।
ତେବେ ଭାରତୀୟ ବକ୍ସିଂର ଏହି ନବରତ୍ନ ଏଥର ଟୋକିଓ ଅଲମ୍ପିକରେ ମଧ୍ୟ ଭାରତକୁ ଆହୁରି ଗୌରବାନ୍ବିତ କରିବେ ବୋଲି ଆଶା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ