ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ହାସଲ କଲେ ସିଜିନ ପ୍ରୋ ଭାରତୀୟ ଗଲ୍ଫ ଖେଳାଳି ଅନିର୍ବାଣ ଲହିରି । ଦ୍ୱିତୀୟ ଥର ପାଇଁ ସେ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଏହାକୁ ନେଇ ସେ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି ।
ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବା ପାଇଁ 60 ଜଣିଆ ଏକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି । ଏହି ତାଲିକାର 60ତମ ସ୍ଥାନରେ ରହିଛନ୍ତି ଅନିର୍ବାଣ ଲହିରି । ଟୋକିଓ ଅଲମ୍ପିକ୍ସ 2020ରେ ପ୍ରଥମ ଭାରତୀୟ ଗଲ୍ଫର ଭାବରେ ସେ ଏହି ଯୋଗ୍ୟତା ହାସଲ କରିଛନ୍ତି । ଏହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରାଧିକରଣ ଟ୍ୱିଟ କରି ଅନିର୍ବାଣଙ୍କୁ ଶୁଭେଚ୍ଛା ଜଣାଇଛି ।
ଟୋକିଓ ଅଲମ୍ପିକ୍ସ ପାଇଁ ଭାରତକୁ ଗୋଟିଏ ସ୍ଥାନ ଦିଆଯାଇଥିଲା । ତେବେ ଭାରତୀୟ ଗଲ୍ଫ ଖେଳାଳିଙ୍କ ମଧ୍ୟରେ ବିଶ୍ୱ ରାଙ୍କିଂରେ ଅନିର୍ବାଣ ଲହିରି ଶ୍ରେଷ୍ଠ ସ୍ଥାନରେ ରହିଥିବାରୁ ତାଙ୍କୁ ଅଲମ୍ପିକ୍ସ ଟିକଟ ଦିଆଯାଇଛି । ବିଶ୍ୱ ରାଙ୍କିଂରେ ସେ 340ତମ ସ୍ଥାନରେ ରହିଛନ୍ତି ।
ଏହାକୁ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜଜୁ ଅନିର୍ବାଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶ ଅଲମ୍ପିକ୍ସ ପାଇଁ ଭାରତ ପକ୍ଷରୁ ପୁନଃ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିବାରୁ ଖୁସି ଜାହିର କରିଛନ୍ତି ଅନିର୍ବାଣ । 2021ରେ ଏହା ତାଙ୍କର ସବୁଠାରୁ ବଡ଼ ପୁରଷ୍କାର ବୋଲି ସେ କହିଛନ୍ତି ।
ସେପଟେ ଭାରତୀୟ ମହିଳା ଗଲ୍ଫ ଖେଳାଳି ଆଦିତି ଅଶୋକ ମଧ୍ୟ ଅଲମ୍ପିକ୍ସ ଟିକଟ ଆଶାୟୀ ହୋଇ ରହିଛନ୍ତି । ଜୁନ 29 ମହିଳାଙ୍କ ତାଲିକା ପ୍ରକାଶ ପାଇବ । ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଆଦିତିଙ୍କ ଏହା ଦ୍ୱିତୀୟ ଅଲମ୍ପିକ୍ସ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ