ଭୁବନେଶ୍ବର: ଓ୍ଵାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଗୋଲ୍ଡ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓଡିଆ ଧାବିକା ଦୂତୀ ଚାନ୍ଦ । ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଧାବିକା ଦୂତୀ ଚାନ୍ଦ ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଦୂତୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ ଲକି । ମ୍ୟାଚ ଖେଳିବା ପୂର୍ବରୁ ଦେଖା କରି ତାଙ୍କ ଆଶୀର୍ବାଦ ନେଇ ଯାଇଥିଲି । ମେଡାଲ ପାଇଥିବା ଜାଣି ସେ ଖୁସି ହୋଇ ଅଲମ୍ପିକରେ ଭଲ କରିବା ପାଇଁ କହିଲେ । ଏହା ସହ ଅର୍ଜୁନ ଆଓ୍ଵାର୍ଡ ପାଇଁ ଦୂତୀଙ୍କ ନାମକୁ ସୁପାରିଶ ପାଇଁ ଦୂତି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ବ୍ୟକ୍ତିଗତ ସ୍ତରରେ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦୂତୀ ଚାନ୍ଦ କହିଛନ୍ତି।
ସୂଚନା ଅନୁସାରେ ଦୂତୀ ପ୍ରଥମ ଭାରତୀୟ ଭାବେ ଏହି ମେଡାଲ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ୧୦୦ ମିଟର ରେସକୁ ମାତ୍ର ୧୧.୩୨ ସେକେଣ୍ଡରେ ଶେଷ କରିଥିଲେ ଦୂତୀ । ଏହି ମେଡାଲ ପରେ ଦୂତୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ