ନୂଆଦିଲ୍ଲୀ: ବିଶ୍ବ କୁସ୍ତି ଚମ୍ପିଆନ୍ସିପ୍ ପ୍ରଥମ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭାବେ ଅଂଶୁ ମଲିକ ଫାଇନାଲରେ ପହଞ୍ଚିଛନ୍ତି । ସେମିଫାଇନାଲ ମ୍ୟାଚରେ ସେ ବିଶ୍ବ ଚମ୍ପିଆନ୍ ୟୁକ୍ରେନର ସୋଲମିଆ ଭିନ୍ନିକ୍ଙ୍କୁ ମାତ ଦେଇଛନ୍ତି । ଏହି ମ୍ୟାଚ୍କୁ ଅଂଶୁ ମଲିକ ୧୧-୦ ପଏଣ୍ଟରେ ବିଜୟୀ ହୋଇଛନ୍ତି । ଓସ୍ଲୋରେ ବିଶ୍ବ କୁସ୍ତି ଚମ୍ପିଆନ୍ସିପ୍ ୨୦୨୧ରେ ୫୭ କେଜି ବର୍ଗରେ ଏହି ସଫଳତା ହାସଲ କରିଛନ୍ତି ଅଂଶୁ ।
୨୦ ବର୍ଷୀୟ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଫାଇନାଲ୍ ମ୍ୟାଚ୍ରେ ୨୦୧୬ ରିଓ ଅଲମ୍ପିକ୍ସ ଚମ୍ପାଆନ୍ ଆମେରିକାର ହେଲେନ୍ ମାରୋଉଲିସ୍ଙ୍କୁ ଭେଟିବେ । ଏହାପୂର୍ବରୁ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଅଂଶୁ କଜାଖସ୍ତାନର ନିଲୁଫର ରାଇମୋଭାଙ୍କୁ ପରାଜିତ କରି ନିଜ ଦମ୍ ଦେଖାଇଥିଲେ ।
ଖାଲି ସେତିକି ନୁହେଁ ସେ ମଙ୍ଗୋଲିଆର କୁସ୍ତିଯୋଦ୍ଧାଙ୍କୁ ନିଜ କୌଶଳ ବଳରେ ଚିତପଟାଙ୍ଗ୍ କରିଛନ୍ତି । ଏହି ବିଶ୍ବ ଚମ୍ପିଆନ୍ସିପରେ ବିଜୟ ହାସଲ କଲେ ଭାରତୀୟ କୁସ୍ତି ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବେ ଅଂଶୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ