ହାଇଦ୍ରାବାଦ: ଭାରତୀୟ ହକି ଖେଳାଳିଙ୍କୁ ଉତ୍ସାହିତ କରିବେ ହକି କିମ୍ବଦନ୍ତୀ । ଏନେଇ ପୂର୍ବତନ ହକି ଖେଳାଳିମାନେ ଓଡିଶା ଆସି ଖେଳାଳିଙ୍କ ଜୋଶ ବଢାଇବେ । ହକି ବିଶ୍ବକପ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇସାରିଛି । ୧୫ ତମ ହକି ବିଶ୍ବକପ ସଂସ୍କରଣ ପାଇଁ ଆୟୋଜକ ଓଡିଶାର ପ୍ରସ୍ତୁତି ଜୋରଦାର ଜାରି ରହିଛି । ଭାରତରେ ଚତୁର୍ଥ ଥର ପାଇଁ ବିଶ୍ବକପ ଆୟୋଜନ ହେବାକୁ ଯାଉଛି । ଭାରତରେ ଚତୁର୍ଥ ଥର ଏବଂ ଓଡିଶାରେ ଏହା ଦ୍ବିତୀୟ ଥର ପାଇଁ ଏହି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଓଡିଶା ସରକାର ଏହାକୁ ଗ୍ରାଣ୍ଡ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ହକି ଦଳ ଏଥର ବିଶ୍ବକପ ଖେଳିବ ।
ଭାରତୀୟ ହକିକୁ ତୃଣମୂଳ ସ୍ତରରେ ସୁଦୃଢ କରିଥିବା ହକି କିମ୍ବଦନ୍ତୀ ହରମନପ୍ରିତଙ୍କ ଟିମକୁ ଆଶୀର୍ବାଦ କରିବେ । ତାଙ୍କ ପ୍ରେରଣାରେ ଭାରତୀୟ ହକି ଟିମ ବିଶ୍ବକପ ପାଇଁ ରଣନୀତି ପ୍ରସ୍ତୁତ କରିବ । ଭାରତ ଶେଷ ଥର ପାଇଁ ୧୯୭୫ ମସିହାରେ ବିଶ୍ବକପ ଟ୍ରିଫି ହାସଲ କରିଥିଲା । ଅଜିତ ପାଲ ସିଂହଙ୍କ ନେତୃତ୍ବରେ ଭାରତୀୟ ହକି ଟିମ ପ୍ରଥମ ବିଶ୍ବକପ ହାସଲ କରିଥିଲା । ୧୯୭୫ ମସିହା ବିଶ୍ବ ବିଜେତା ଭାରତୀୟ ହକି ଦଳର ସଦସ୍ୟ ହକି ବିଶ୍ବକପ ପାଇଁ ଓଡିଶା ଆମନ୍ତ୍ରଣ କରାଯାଇଛି । ଏହି ପୂର୍ବତନ ହକି ଖେଳାଳି ଜାନୁଆରୀ ୧୫ ତାରିଖରେ ଓଡିଶା ରାଉରକେଲା ଗସ୍ତ କରିବେ । ୧୫ ତାରିଖରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଇଂଲଣ୍ଡକୁ ଭେଟିବ ଭାରତ । ଏହି ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ଏହି ହକି କିମ୍ବଦନ୍ତୀ ।
୧୯୭୫ ମସିହାର ହକି ବିଶ୍ବକପ ବିଜେତା ଟିମ ୧୬ ସଦସ୍ୟରୁ ୧୧ ସଦସ୍ୟ ଜୀବିତ ଅଛନ୍ତି । ଅନ୍ୟ ସଦସ୍ୟମାନଙ୍କର ପରଲୋକ ହୋଇସାରିଛି । ୧୯୭୫ର ବିଶ୍ବ ବିଜେତା ଦଳର ସମସ୍ତ ଜୀବିତ ସଦସ୍ୟଙ୍କୁ ହକି ବିଶ୍ବକପ ନେଇ ଓଡିଶା ଆମନ୍ତ୍ରଣ କରାଯାଇଛି । ଏହି ସଦସ୍ୟମାନେ ହେଲେ କ୍ୟାପଟେନ ଅଜିତ ସିଂହ ପାଲ, ଅଶୋକ ଦିୱାନ, ଲେସ୍ଲି ଫର୍ଣ୍ଣାଣ୍ଡିଜ, ଅସଲମ ସେର ଖାନ, ଆଙ୍କୋର ସିଂହ, ବିଜେ ଫିଲିପ୍ସ, ଅଶୋକ କୁମାର, ପିଇ କାଲିହା, ହରଜିନ୍ଦର ସିହଂ ଚିମନୀ, ବିପି ଗୋବିନ୍ଦା ଏବଂ ହରଚରଣ ସିଂହ ରହିଛନ୍ତି ।
୧୯୭୫ ବିଶ୍ବ ଚମ୍ପିଆନ ସଦସ୍ୟ ସହିତ ସମସ୍ତ ବିଶ୍ବକପର ଅଧିନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଯେଉଁଥିରେ ୧୯୭୧, ୧୯୭୩ ଏବଂ ୧୯୭୫ ହକି ବିଶ୍ବକପରେ ଅଧିନାୟକ ରହିଥିବା ଅଜିତ ପାଲ ସିଂହ, ଏମପି ଗଣେଶ, ୧୯୭୮ ରେ ଅଧିନାୟକତ୍ବ କରିଥିବା ବିଜେ ଫିଲିପ୍ସ, ୧୯୯୦ରେ ଅଧିନାୟକତ୍ବ କରିଥିବା ସର୍ଦ୍ଦାର ପରଗଟ ସିଂହ, ୧୯୯୪ ମସିହାର ଅଧିନାୟକ ରହିଥିବା ଜୁଡ ଫିଲିପ୍ସ, ୧୯୯୮ରେ ଅଧିନାୟକ ରହିଥିବା ଧନରାଜ ପିଲେ, ୨୦୦୨ର ଅଧିନାୟକ ବଲଜିତ ସିଂହ ଢିଲୋ, ୨୦୦୬ ଅଧିନାୟକ ଦିଲୀପ ତିର୍କି, ୨୦୧୦ ଅଧିନାୟକ ରାଜପାଲ ସିଂହ ଏବଂ ୨୦୧୪ ହକି ବିଶ୍ବକପରେ ଅଧିନାୟକ ରହିଥିବା ସରଦାର ସିଂହ ମଧ୍ୟ ଏହି ମେଗା ଇଭେଣ୍ଟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।